Odisha Link
Bridging the Missing Links in Odisha

ମିଳିଲା ବନ ସଂରକ୍ଷକଙ୍କ ଘରୁ ହାତଲେଖା ଚିଠି: ମୁଁ କ୍ୟାରେକ୍ଟର ଲେସ୍‌ ନୁହେଁ, ତୁମେ…

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ଅଚାନକ ନିଆଁରେ ପୋଡି ହୋଇ ଯାଇଥିବା ମାମଲାର ତଦନ୍ତ କରୁଛି ପୁଲିସ। ପରିବାର ଓ ଅନ୍ତରଙ୍ଗ ବନ୍ଧୁଙ୍କ ବୟାନ ରେକର୍ଡ କରୁଛି ପାରଳାଖେମୁଣ୍ଡି ପୁଲିସ। ଏଥସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛି। ଏହାରି ଭିତରେ ପୁଲିସକୁ ସୌମ୍ୟଙ୍କ କିଛି ହାତଲେଖା କାଗଜ ସହ ଏକ ଡାଏରୀ ମିଳିଛି।

ସରକାରୀ ଆବାସରୁ ମିଳିଥିବା ଲେଟର ପେଡ୍‌ରେ ଲେଖାଯାଇଛି ଯେ,ବାହା ହୋଇ ଭୁଲ୍‌ ହୋଇଗଲା… ଯାହା ଭୁଲ୍‌ ହୋଇଛି କ୍ଷମା କରିଦିଅ… ମୁଁ କେରେକ୍ଟର ଲେସ୍‌ ନୁହେଁ, ତୁମେ କେରେକ୍ଟର ଲେସ୍‌…। ଲେଟର ପେଡ୍‌ରେ ସୌମ୍ୟ ଏମିତି ଲେଖିଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ହାତ ଲେଖା ସୌମ୍ୟଙ୍କର କି ଆଉ କାହାର ସ୍ପଷ୍ଟ ହୋଇନି। ଯଦି ହାତ ଲେଖା ସୌମ୍ୟଙ୍କର ହୋଇଥିବା, ତାହାହେଲେ ସେ ଏପରି କାହିଁକି ଲେଖିଥିଲେ

ତେବେ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଛି ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଖୋଲିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା

Leave A Reply

Your email address will not be published.