Odisha Link
Bridging the Missing Links in Odisha

ଡିଏଫଓଙ୍କୁ କ୍ଲିନ୍‌ଚିଟ୍‌: ବିଦ୍ୟା ଭାରତୀଙ୍କ ସହ ସମ୍ପର୍କ ନଥିବା ସ୍ପଷ୍ଟ ଗଜପତି ଏସ୍‌ପି

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ମଧ୍ୟରେ ଆଜି ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା କରାଯାଇଥିଲା। ଡିଏଫଓଙ୍କର ବିଦ୍ୟା ଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରାଯାଇଛି। ଗଜପତି ଏସପି ତପନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ, ସିଡିଆର୍‌ ଯାଞ୍ଚରୁ ଡିଏଫଓଙ୍କ ଏହି ଘଟଣାରେ କୌଣସି ସମ୍ପୃକ୍ତ ନାହିଁ। ଏଥିସହ ରୋଷେୟାଙ୍କ ମଧ୍ୟ କୌଣସି ସମ୍ପୃକ୍ତି ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ନାମରେ ଉଠୁଥିବା ଅଭିଯୋଗ ସମ୍ପର୍କରେ ଏସପି କହିଛନ୍ତି ଯେ, ସମ୍ପର୍କୀୟଙ୍କ ଠାରୁ ଫୋନ କଲ୍‌ ପାଇ ବିଦ୍ୟାଭାରତୀଙ୍କ ନିକଟକୁ ଯାଇଥିଲେ ମମତା।

ତେବେ କଲ୍ ଡିଟେଲ୍ସରୁ ପୋଲିସକୁ କୌଣସି ସୁରାଗ ମିଳିଲା ନାହିଁ। ଡିଏଫଓ କେବେବି ବିଦ୍ୟାଭାରତୀଙ୍କ ଘରକୁ ଯାଇନଥିଲେ। ପାଖ ପଡ଼ିଶା ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ୍। ସେହିପରି ମମତା ପଣ୍ଡା ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ପୂର୍ବରୁ ଚିହ୍ନାଜଣା ଥିଲା। ସମ୍ପର୍କୀୟଙ୍କ ଠାରୁ ଫୋନ କଲ୍‌ ପାଇ ମାନବିକତା ଦୃଷ୍ଟି କୋଣରୁ ସହଯୋଗ କରିଥିଲେ ମମତା। ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସ ୧୫ ମିନିଟ ଅଟକିଥିଲା। ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ ବୋଲି ଏସପି କହିଛନ୍ତି। ଏହି ମାମଲାରେ ମୋଟ୍ ୬ ଜଣଙ୍କୁ ଜେରା କରିଛନ୍ତି ଏସପି।

ମୃତ ସୌମ୍ୟଙ୍କ ବାପା-ମାଙ୍କ ପକ୍ଷରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ସମେତ ଡିଏଫଓ ଓ ଥାନା ଅଧିକାରୀ ମମତାଙ୍କ ନାଁରେ ଅଭିଯୋଗ କରାଯାଇଛି।

Leave A Reply

Your email address will not be published.