Odisha Link
Bridging the Missing Links in Odisha

୧୦ ବର୍ଷର ଛୁଆକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ

ଧର୍ମଗଡ଼: ୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ। ମରଣାତ୍ନକ ଆକ୍ରମଣ ଯୋଗୁ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ।

ସୂଚନା ମୁତାବକ, ସାମାନ୍ୟ କଳହରୁ ମଦ୍ୟପ ପଡ଼ୋଶୀ କ୍ରୋଧରେ ହିତାହିତ ଜ୍ଞାନ ଭୁଲି ଏକ ୧୦ ବର୍ଷର ନାବାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛି। ମୃତକ ହେଲେ ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲ ମାଝି। ଅନିଲକୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ବଡ଼ ଭାଇ ଓ ଅନ୍ୟ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି।

ଭଟାଗୁଡା ଗ୍ରାମର ଘାସିରାମ ମାଝୀ ଓ ଜୟସିଂ ଜାନୀ (୪୨) ପଡ଼ୋଶୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ଗତକାଲି ପୁଣି ଥରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା। ଏହା ଉଗ୍ର ରୂପ ଧାରଣ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ପୁଅ ଅନିଲକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ।

ଜୟସିଂଙ୍କ ଧନୁତୀରରେ ଆକ୍ରମଣରେ ଦେବାନନ୍ଦଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଥୁଆମୁଳ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କେବଳ ସେତିକି ନୁହେଁ, ଜୟସିଂଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ବୃଦ୍ଧ ତାମା ଜାନୀଙ୍କୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏଥି ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍ ଭଟାଗୁଡା ଗ୍ରାମରେ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି।

Leave A Reply

Your email address will not be published.