Odisha Link
Bridging the Missing Links in Odisha

ଦଳ ଛାଡ଼ିବେ କଂଗ୍ରେସ କାର୍ଯ୍ୟକାରୀ ସଭାପତି!

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଦଳ ଅଦଳବଦଳ ରାଜନୀତି ଦେଖିବାକୁ ମିଳିପାରେ। କାରଣ କଂଗ୍ରେସର ହାତ ଛାଡ଼ିପାରନ୍ତି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ହାତ ଛାଡ଼ି ଶଙ୍ଖ ଶିବିରରେ ଯୋଗଦେବା ନେଇ ନବରଙ୍ଗପୁରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ନୂଆ ରାଜନୈତିକ ଇନିଙ୍ଗସ୍ ଆରମ୍ଭ କରିବେ ବୋଲଇ ପାଓ୍ବାର କରିଡରରେ ହେଉଛି ଚର୍ଚ୍ଚା।

କଂଗ୍ରେସର ଏହି ଯୁବ ନେତା ପୂର୍ବରୁ ନବରଙ୍ଗପୁର ଲୋକସଭା ସାଂସଦ ଭାବେ ଜିତିଥିଲେ । ପ୍ରଥମ ଥର ସାଂସଦ ଥିଲେ ବି ଯୁବ ନେତା ଭାବେ ଦିଲ୍ଲୀ କଂଗ୍ରେସ ରାଜନୀତିରେ ତାଙ୍କର ପ୍ରଭାବ ଭଲ ଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ ପାଇଲଟଙ୍କ ଭଳି ପ୍ରଦୀପ ମାଝୀ ମଧ୍ୟ ରାହୁଲ ଗାନ୍ଧୀଙ୍କ କୋର ଟିମରେ ସଦସ୍ୟ ଥିଲେ। ହେଲେ ଲଗାତାର ୨ ଥର ସାଂସଦ ପ୍ରାର୍ଥୀ ହୋଇ ବି ହାରିବା ପରେ ଏବେ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିଶେଷ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେପ୍ଟେମ୍ବର ମାସରେ ନବରଙ୍ଗପୁରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବେ ବୋଲି ପ୍ଲାନ ହୋଇଥିବା କୁହାଯାଉଛି । ହେଲେ ଏଭଳି ଚର୍ଚ୍ଚାକୁ ନେଇ ପ୍ରଦୀପ ମାଝି କିଛି ପ୍ରତିକ୍ରିୟା ରଖୁନାହାନ୍ତି । ତାଙ୍କର କହିବା କଥା ସେ ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି । ୨୦୧୪ରୁ ଏବେ ଯାଏ କେବଳ ନିୟମରେ ଚାଲିଛି ବୋଲି କହୁଛନ୍ତି ପ୍ରଦୀପ।

ଏକଦା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ପ୍ରଦୀପଙ୍କ ବାପା ଭଗବାନ ମାଝୀ ରାଜ୍ୟସଭା ସାଂସଦ ହୋଇଥିଲେ । ଆଉ କଂଗ୍ରେସରୁ ଲଗାତାର ଦୁଇ ଥର ହାରିବା ପରେ ପ୍ରଦୀପ ଏବେ ନିଜ ବାପାଙ୍କ ରାଜନୀତି ରାସ୍ତାରେ ଯାଇ ବିଜୁଙ୍କୁ ଆଦର୍ଶ କରି ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ପାଓ୍ବାର କରିଡରରେ ହେଉଥିବା ଚର୍ଚ୍ଚା ଯଦି ସତ ହୁଏ ତେବେ ତେବେ ରାଜ୍ୟ କଂଗ୍ରେସ ପାଇଁ ବହୁତ ବଡ଼ କ୍ଷତି ହୋଇପାରେ।

Leave A Reply

Your email address will not be published.