Odisha Link
Bridging the Missing Links in Odisha

ଭାରତୀୟ ହକି ଖେଳାଳିଙ୍କ ନାଁରେ ୧୦ଟି ସ୍କୁଲ୍‌ର ପୁନଃ ନାମକରଣ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ହକି ଖେଳାଳିଙ୍କ ନାମାନୁସାରେ ୧୦ଟି ସ୍କୁଲ୍‌ର ପୁନଃ ନାମକରଣ। ପଞ୍ଜାବର ପ୍ରାୟ ୧୦ଟି ସରକାରୀ ସ୍କୁଲ୍‌ର ପୁନଃନାମକରଣ ହୋଇଛି। ପଞ୍ଜାବ ସ୍କୁଲ୍‌ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର୍‌ ସିଂହ କହିଛନ୍ତି, ଭାରତୀୟ ପୁରୁଷ ହକି ଦଳରେ ଥିବା କେତେକ ପଞ୍ଜାବୀ ଖେଳାଳିଙ୍କ ନାମାନୁସାରେ ରାଜ୍ୟ ସରକାରୀ ସ୍କୁଲ୍‌ଗୁଡ଼ିକର ପୁନଃନାମକରଣ ହେବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁମୋଦନ କରିଛନ୍ତି।

ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି, ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହଙ୍କ ନାମାନୁସାରେ, ଜଳନ୍ଧର ଅନ୍ତର୍ଗତ ମିଥାପୁର ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ପୁନଃନାମିତ କରାଯାଇଛି। ସମ୍ପ୍ରତି ସେ ସ୍କୁଲ୍‌ର ନାଁ ହେବ ‘ଅଲିମ୍ପିଆନ୍‌ ମନ୍‌ପ୍ରୀତ୍‌ ସିଂହ ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’।

ଅମୃତସରର ତିମ୍ମୋୱାଲ୍‌ରେ ଥିବା ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ଉପଅଧିନାୟକ ହରମନ୍‌ପ୍ରୀତ୍‌ ସିଂହଙ୍କ ନାମାନୁସାରେ ପୁନଃନାମିତ କରାଯାଇଛି। ଅମୃତସରର ଅଟ୍ଟାରି ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ଶାମଶେର୍‌ ସିଂହ, ଫରିଦକୋଟସ୍ଥିତ ଗଭର୍ଣ୍ଣମେଣ୍ଟ୍‌ ମିଡଲ୍‌ ସ୍କୁଲ୍‌କୁ (ଗର୍ଲସ୍‌ ବେସିକ୍) ରୁପିନ୍ଦରପାଲ୍‌ ସିଂହ, ଜଳନ୍ଧରର କୁଶରୋପୁର ‘ଗଭର୍ଣ୍ଣମେଣ୍ଟ୍‌ ମିଡଲ୍‌ ସ୍କୁଲ୍‌’କୁ ହାର୍ଦ୍ଦିକ ସିଂହ, ଅମୃତସରସ୍ଥିତ ଖଲାଇହରା ଗଭର୍ଣ୍ଣମେଣ୍ଟ୍‌ ପ୍ରାଇମେରି ସ୍କୁଲ୍‌କୁ ଗୁରଜନ୍ତ ସିଂହଙ୍କ ନାମାନୁସାରେ ପୁନଃନାମିତ କରାଯାଇଛି।

ଗୁରଦାସପୁର ଅନ୍ତର୍ଗତ ଚହଲ କଲାଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସିମରଣଜିତ୍ ସିଂହଙ୍କ ନାମାନୁସାରେ ନାମିତ କରାଯାଇଛି। ଶିକ୍ଷାମନ୍ତ୍ରୀ କହିଛନ୍ତି, ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ପଞ୍ଜାବର ସ୍ବର୍ଣ୍ଣିମ ଅବଦାନ ରହିଛି। ହରିୟାଣା ପରେ ପଞ୍ଜାବ ଅଲିମ୍ପିକ୍‌ କ୍ରୀଡ଼ାକୁ ୨୦ଜଣ ଖେଳାଳି ପଠାଇ ଦେଶର ଦ୍ବିତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.