ମଇଦାନରେ ଝାଳ ବୁହାଇଲେ କ୍ରୀଡ଼ା ମନ୍ତ୍ରୀ, ରଣଜୀ ଖେଳିବା ପାଇଁ କରୁଛନ୍ତି ପ୍ରସ୍ତୁତି

କୋଲକାତା: କ୍ରିକେଟ ମଇଦାନରେ କମାଲ କରିବା ପରେ ରାଜନୀତିରେ କଲେ ଶାନଦାର ଏଣ୍ଟ୍ରି। କ୍ରିକେଟ ପରେ ରାଜନୀତିର ଖେଳରେ ମଧ୍ୟ ସେ ଏବେ ଜଣେ ପୋଖତ ଖେଳାଳି। ନିର୍ବାଚନରେ ବିରୋଧୀଙ୍କୁ ଚକମା ଦେଇ ଖେଳିଲେ ମାଷ୍ଟ୍ରର ଷ୍ଟ୍ରୋକ୍ ଇନିଂସ୍। ଆଉ ପ୍ରଥମରୁ ହିଁ ହାତେଇଲେ ମନ୍ତ୍ରୀ ପଦ। ଆଉ ଏବେ ପୁଣିଥରେ କ୍ରିକେଟ ମଇଦାନରେ କମାଲ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ମନୋଜ ତିଓ୍ବାରୀ। ଯାହାର କିଛି ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ଆଗାମୀ ଘରୋଇ ସିଜିନ ପାଇଁ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ୍ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ୩୯ ଜଣ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି କ୍ରିକେଟ ଆସୋସିଏସନ୍। ସବୁଠୁ ବଡ଼ କଥା ହେଲା କ୍ରିକେଟରୁ ରାଜନେତା ହୋଇଥିବା ମନୋଜ ତିଓ୍ବାରୀଙ୍କ ନାମ ତାଲିକାରେ ରହିଛି। ତିଓ୍ବାରୀ ବର୍ତ୍ତମାନ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଛନ୍ତି। ପଶ୍ଚିମବଙ୍ଗର ସିନିୟର କ୍ରିକେଟ ଟିମ୍ ଏବେ ପ୍ରାକ୍ଟିସ୍ ଆରମ୍ଭ କରିଛି। ବ୍ୟାଟିଂ ପରାମର୍ଶଦାତା ଭିଭିଏସ୍ ଲକ୍ଷ୍ମଣ ,ହେଡ କୋଚ୍ ଅରୁଣ ଲାଲ ଖେଳାଳିଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ। ଯାହାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମନୋଜ ତିଓ୍ବାରୀ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ମଇଦାନରେ ପ୍ରାକ୍ଟିସ୍ କରୁଥିବାର ନଜର ଆସିଛନ୍ତି।
ପଶ୍ଚିମବଙ୍ଗ ଟମିର ପୂର୍ବତନ ଅଧିନାୟକ ମନୋଜ ତିଓ୍ବାରୀ ଶେଷଥର ପାଇଁ ୨୦୨୦ରେ ସୌରାଷ୍ଟ ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳିଥିଲେ। ମନୋଜ ତିିଓ୍ବାରୀ ଶିବପୁର ଆସନରୁ ନିର୍ବାଚନ ଜିତିବା ପରେ କହିଥିଲେ ଯେ, ପୂର୍ବଭଳି ଫିଟନେସ୍ ବଜାୟ ରଖିବି ଆଉ କିଛି ସମୟ ବଙ୍ଗ ପାଇଁ କ୍ରିକେଟ ଖେଳିବି।
ମନୋଜ ତିଓ୍ବାରୀ ଟିମ୍ ଇଣ୍ଡିଆ ପାଇଁ ୧୨ଟି ଦିନିକିଆ ଖେଳି ୨୮୭ ରନ୍ କରିବା ସହ ୧୨ଟି ଓ୍ବିକେଟ ନେଇଛନ୍ତି। ଏଥିସହିତ ୩ଟି ଟି-୨୦ ଇଣ୍ଟରନ୍ୟାଶନାଲ୍ ଖେଳି ୧୫ ରନ୍ କରିଛନ୍ତି ମନୋଜ ତଓ୍ବାରୀ। ଶେଷଥର ପାଇଁ ୨୦୧୫ ମସିହାରେ ଇଣ୍ଟରନ୍ୟାଶନାଲ ମ୍ୟାଚ୍ ଖେଳିଥିଲେ ମନୋଜ ତିଓ୍ବାରୀ। ଏହାପରଠୁ ୩୫ ବର୍ଷିୟ ମନୋଜ ତିଓ୍ବାରୀଙ୍କୁ ଭାରତୀୟ ଦଳରେ ମୌକା ମିଳିନାହିଁ।
ଫାଷ୍ଟ କ୍ଲାସ୍ କ୍ରିକେଟରେ ମନୋଜ ତିଓ୍ବାରୀଙ୍କ ରେକର୍ଡ ଶାନଦାର ରହିଛି। ସେ ୧୨୫ଟି ମ୍ୟାଚ୍ ଖେଳି ୮,୯୬୫ ରନ୍ ସ୍କୋର କରିଛନ୍ତି। ଫାଷ୍ଟ କ୍ଲାସ୍ କ୍ରିକେଟରେ ତାଙ୍କ ନାମରେ ରହିଛି ୨୫ଟି ଶତକ ଓ ୩୭ଟି ଅର୍ଦ୍ଧଶତକ। ତାଙ୍କର ସର୍ବାଧିକ ସ୍କୋର ୩୦୩ ରନ୍ ରହିଛି। ଲିଷ୍ଟ-ଏ ମ୍ୟାଚରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି ମନୋଜ ତିଓ୍ବାରୀ। ମନୋଜ ତିଓ୍ବାରୀ ୧୬୩ ମ୍ୟାଚ୍ ଖେଳି ୫,୪୬୬ ରନ୍ କରିଛନ୍ତି।