Odisha Link
Bridging the Missing Links in Odisha

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସକାଳ ୭ଟାରୁ ସଂଧ୍ୟା ୭ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପ୍ରତି ଶନିବାର ଓ ରବିବାର ମନ୍ଦିର ବନ୍ଦ ରହିବ। ଏହି ଦୁଇ ଦିନ ମନ୍ଦିର ସାନିଟାଇଜ୍ କରାଯିବ। ଭକ୍ତମାନେ କୋଭିଡ ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା ଦୁଇଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇ ଭିତରକୁ ପ୍ରବେଶ କରିବେ।

ସର୍ବସାଧାରଣଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାରିକେଟିଂ ସହ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ଧାଡ଼ି ବ୍ୟବସ୍ଥା କରାଯାଇଛି। ଏହି ବାଟ ଦେଇ ଭକ୍ତମାନେ ମୋବାଇଲ୍ ଓ ଜୋତାଷ୍ଟାଣ୍ଡ ନିକଟକୁ ଯାଇ ଆବଶ୍ୟକ ଆସବାବପତ୍ର ରଖିବା ପରେ କିଓସ୍କ କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇବେ। କିଓସ୍କ କେନ୍ଦ୍ରରେ ଫଟୋ ଉତ୍ତୋଳନ ପରେ ଭକ୍ତମାନେ ନୂଆ ସେଡ୍ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ନୂଆ ସେଡ୍ ଦେଇ ଯିବାବେଳେ ଭକ୍ତଙ୍କ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।

ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍ ଓପି ଅନୁଯାୟୀ,ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଉତ୍ତର ଦ୍ବାର ଦେଇ ବାହାରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ମାସ୍କ ପରିଧାନ କରିବେ। ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍ କରିବେ। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶ ସହ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବାରେ କଟକଣା ଲଗାଯାଇଛି। ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣିପାରିବେ, କିନ୍ତୁ ଶ୍ରୀମନ୍ଦିର ଭିତରେ ଖାଇ ପାରିବେନାହିଁ।

Leave A Reply

Your email address will not be published.