Odisha Link
Bridging the Missing Links in Odisha

ବିରାଟଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଗୁରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ। ୪ର୍ଥ ଟେଷ୍ଟର ଦିନକ ପୂର୍ବରୁ ଆଇସିସି ଜାରି କରିଛି ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ସେ ସଦ୍ୟପ୍ରକାଶିତ ଟେଷ୍ଟ ରାଙ୍କିଙ୍ଗର ଟପ୍‌-୫ରେ ପହଁଞ୍ଚିଛନ୍ତି। ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚିଛନ୍ତି। ଅପରପକ୍ଷେ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ଷଷ୍ଠରେ ପହଞ୍ଚିଛନ୍ତି। ଅନ୍ୟ କୌଣସି ବ୍ୟାଟସମ୍ୟାନ ଟପ୍-୧୦ରେ ସ୍ଥାନ ପାଇ ନାହାନ୍ତି।

ସେହିପରି ଆଇସିସି ଟେଷ୍ଟ ମାନ୍ୟତାରେ ଜୋ ରୁଟ୍ ଶୀର୍ଷରେ ପହଞ୍ଚିଛନ୍ତି। ଛଅ ବର୍ଷ ପରେ ରୁଟ୍‌ ଏହି ସ୍ଥାନ ହାସଲ କରିଛନ୍ତି। ସେ ୯୧୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ(୯୦୧)ଙ୍କୁ ପଛରେ ପକାଇଛନ୍ତି। ରୁଟ୍ ଭାରତ ବିପକ୍ଷରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ତିନୋଟି ଟେଷ୍ଟରେ ତିନି ଶତକ ହାସଲ କରିଛନ୍ତି। ସେ ୧୨୭ ହାରରେ ୫୦୭ ରନ କରିଛନ୍ତି। ଏହାର ଫଳାଫଳ ଏବେ ତାଙ୍କର ମାନ୍ୟତା ଉପରେ ପଡିଛି। ୮୯୧ ରେଟିଂ ସହ ଷ୍ଟିଭ୍ ସ୍ମିଥ୍ ତୃତୀୟ ଏବଂ ମାର୍ନସ ଲାବୁସାନେ(୮୭୮) ଚତୁର୍ଥ ସ୍ଥାନରେ ଅଛନ୍ତି।

ସେହିପରି ଦ୍ରୁତ ବୋଲର ମାନ୍ୟତାରେ ଯଶପ୍ରୀତ ବୁମରା ଟପ୍-୧୦ରେ ସାମିଲ୍ ହୋଇଛନ୍ତି। ସେ ଦଶମ ସ୍ଥାନରେ ଅଛନ୍ତି। ଆର ଅଶ୍ଵିନ ପୂର୍ବ ପରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି।

Leave A Reply

Your email address will not be published.