Odisha Link
Bridging the Missing Links in Odisha

ଫାଇନାଲରେ ପ୍ରମୋଦ, ଏବେ ସ୍ବର୍ଣ୍ଣ ପଦକ ପାଇଁ କରିବେ ଲଢ଼େଇ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବିଦେଶରେ ଚମକ ଦେଖାଇଲେ ଓଡ଼ିଆ ପୁଅ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଅପରାହ୍ନ ୩ଟାରେ ଲଢ଼େଇ କରିବେ। ଯଦି ବି ସେ ହାରିବେ, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ।

ଆଜିର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍‌ରେ ଜିତି ଫାଇନାଲରେ ପ୍ରବେଶ କରିଛନ୍ତି। ଏଯାଏ କୌଣସି ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ତେଣୁ ଓଡ଼ିଆ ପୁଅ ପ୍ରମୋଦଙ୍କ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି।

ପ୍ରମୋଦ ପୁରୁଷ ଏକକ ବର୍ଗରେ ‍ଫାଇନାଲରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ସେମିରେ ଯଦି ସେ ଜିତିବେ, ତା’ହେଲେ ଉକ୍ତ ଇଭେଣ୍ଟରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ପାଇବେ।