Odisha Link
Bridging the Missing Links in Odisha

ଆସନ୍ତା ୧୩ରେ କଟକ ବନ୍ଦ ଡାକରା

କଟକ: ଆସନ୍ତା ୧୩ରେ କଟକ ବନ୍ଦ ଡାକରା। ପାର୍ବଣରେ ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ନିର୍ଦ୍ଦେଶକୁ ବିରୋଧ କରି କଟକରେ ପ୍ରତିବାଦ। ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ସମେତ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି। ଗଣେଶ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କ ମୂର୍ତି ଗଢ଼ା ପ୍ରକ୍ରିୟାର ଶୁଭାରମ୍ଭ ହୋଇଥାଏ। ତେଣୁ ସରକାର ତା ପୂର୍ବରୁ ଏହି କଟକଣା ହଟାଇବାକୁ ୧୩ ତାରିଖରେ ପ୍ରତିବାଦରେ କଟକ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

୪ ଫୁଟ ମୂର୍ତ୍ତି ଓ ପରଦା ଟାଣି ପୂଜାକୁ ବିଜେପି ପକ୍ଷରୁ ବିରୋଧ କରାଯିବା ସହ ୧୩ ତାରିଖରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ସମୟରେ ସରକାର ପ୍ରାୟ ସବୁ କଟକଣାକୁ ବହୁମାତ୍ରାରେ କୋହଳ କରି ସାରିଛନ୍ତି। ସମସ୍ତ ଧର୍ମାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ୍, ଯାତ୍ରା ଇତ୍ୟାଦି ଖୋଲି ସାରିଛି।

ଏଭଳି ସ୍ଥିତିରେ କେଉଁ ଆଧାରରେ ସରକାର ମୂର୍ତ୍ତିର ଉଚ୍ଚତା ୪ ଫୁଟ ଧାର୍ଯ୍ୟ କରିଛନ୍ତି ଆଉ ମଣ୍ଡପରେ ପରଦା ଟାଣି ପୂଜା କରିବାକୁ କହୁଛନ୍ତି, ତାହା ବୁଝି ହେଉ ନାହିଁ। ବିଭିନ୍ନ ପୂଜା କମିଟି, ଶାନ୍ତି କମିଟି, ସାମାଜିକ ସଂଗଠନ ଏହାକୁ ବିରୋଧ କରି ଚାଲିଥିଲେ ବି ସରକାର ଜିଦରେ ଅଟଳ ରହିଛନ୍ତି। ସହରବାସୀ ଅନ୍ୟ ସମସ୍ତ କଟକଣାକୁ ସମ୍ମାନ ଜଣାଇବା ସହିତ କୋଭିଡ୍ ଗାଇଡଲାଇନକୁ ମଧ୍ୟ ସ୍ବାଗତ କରୁଛନ୍ତି। କିନ୍ତୁ ଏଭଳି ପୂଜା ଉପରେ କଟକଣା ସହରବାସୀଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରୁଛି। ଏହାକୁ ଏକ ବିକୃତ ଚିନ୍ତାଧାରା ଦର୍ଶାଇ ସରକାର ତୁରନ୍ତ ଏହି ନିଷ୍ପତ୍ତି ବଦଳାନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.