ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି ପାରିବେନି ଜିନ୍ସ

ପାକିସ୍ତାନ: ପାକିସ୍ତାନରେ ଶିକ୍ଷକମାନେ ‘ଜିନ୍ସ୍’ ଏବଂ ‘ଟି-ସାର୍ଟ’ ପିନ୍ଧି ପାରିବେ ନାହିଁ ବୋଲି ସେଠାକାର ‘ଫେଡେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଏଜୁକେସନ୍’ (ଏଫ୍ଡିଇ) ଏକ ବିଜ୍ଞପ୍ତି ଜାରି କରିଛି। ସେହିପରି, ଶିକ୍ଷୟିତ୍ରୀମାନଙ୍କ ‘ଜିନ୍ସ୍’ ଓ ‘ଟାଇଟସ୍’ ପିନ୍ଧା ଉପରେ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ନିଷେଧାଦେଶ ଜାରି କରାଯାଇଛି।
ଫେଡେରାଲ ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଏଣିକି ଶିକ୍ଷକ ମାନେ ଜିନ୍ସ ପିନ୍ଧି ପାରିବେ ନାହିଁ। ପାକିସ୍ତାନର ଡିରେକ୍ଟୋରେଟ ଅଫ ଏଜୁକେସନ ପକ୍ଷରୁ ପୂର୍ବରୁ ମହିଳା ଶିକ୍ଷକଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ପୁରୁଷ ଶିକ୍ଷକଙ୍କ ପାଇଁ ମଧ୍ୟ ସମାନ ନିୟମ ପ୍ରଣୟନ କରାଯାଇଛି।
କର୍ମଚାରୀମାନେ ଯେମିତି ମାର୍ଜିତ ବେଶପୋଷାକ, ଚେହେରା ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବେ, ସେଥିପ୍ରତି ପ୍ରିନ୍ସିପାଲ୍ମାନେ ସୁନିଶ୍ଚିତ ରହିବା ଆବଶ୍ୟକ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ ଅଛି। ଚିଠିରେ ଆହୁରି ମଧ୍ୟ ବୁଝାଇ ଲେଖାଯାଇଛି ଯେ, ସେମାନେ ନିୟମିତ କେଶ, ଦାଢ଼ି ଓ ନଖ କାଟିବା ସହ ସ୍ନାନ କରୁଥିବେ। ଏଥିସହ ସେମାନେ ‘ଡିଓଡରାଣ୍ଟ’ କିଂବା ଅତର ବ୍ୟବହାର କରୁଥିବେ।
ଅଫିସ୍ ସମୟ, ବିଦ୍ୟାଳୟ/ମହାବିଦ୍ୟାଳୟ ପରିସରରେ ଥିବା ସମୟ ଏବଂ ଆନୁଷ୍ଠାନିକ ସମାବେଶ ଓ ସଭାସମିତିରେ ପାକିସ୍ତାନର ଶିକ୍ଷକମାନେ ଉପରୋକ୍ତ ନିୟମ ସବୁ ପାଳନ କରିବେ ବୋଲି ଉକ୍ତ ପତ୍ରରେ ନିର୍ଦେଶ ଦିଆଯାଇଛି। ଶିକ୍ଷା ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ ଶ୍ରେଣୀ ଗୃହରେ ‘ଟିଚିଙ୍ଗ୍ ଗାଉନ୍’ ଏବଂ ପରୀକ୍ଷାଗାରରେ ‘ଲ୍ୟାବ୍ କୋଟ୍’ ପରିଧାନ କରିବେ। ସେହିପରି, ‘ଗେଟ୍କିପର୍’ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନଙ୍କ ପାଇଁ ‘ୟୁନିଫର୍ମ’ ନିର୍ଦ୍ଧାରଣ କରିବା ଲାଗି ମଧ୍ୟ ସ୍କୁଲ୍ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
ଆନୁଷ୍ଠାନିକ ସଭାସମିତିରେ ମହିଳାମାନେ ଫ୍ୟାନ୍ସି/ପାର୍ଟି ଡ୍ରେସ୍ ପିନ୍ଧି ପାରିବେ ନାହିଁ। ସେମାନେ ‘ଜିନ୍ସ୍’ କିଂବା ‘ଟାଇଟ୍ସ୍’ ପରିବର୍ତ୍ତେ ସାଦାସିଦା ଓ ମାର୍ଜିତ ଶାଲୱାର୍ କାମିଜ୍, ଟ୍ରାଉଜର୍, ଦୁପଟ୍ଟା/ଶାଲ୍ ତଳେ ସାର୍ଟ ପିନ୍ଧି ପାରିବେ। ଶୀତକାଳରେ ସେମାନେ କୋଟ୍, ବ୍ଲେଜର୍, ସ୍ବିଟର୍, ଜର୍ସି, କାର୍ଡିଗାଙ୍ଗ୍ ଏବଂ ସୁନ୍ଦର ରଙ୍ଗ ଓ ଡିଜାଇନ୍ର ଶାଲ୍ ପିନ୍ଧି ପାରିବେ। ସେହିପରି, ଶିକ୍ଷୟିତ୍ରୀମାନେ ‘ଫର୍ମାଲ୍ ସୁ’ (ପମ୍ପ୍ସ୍, ଲୋଫର୍ସ, ମୁଲ୍ସ୍) କିଂବା ସ୍ନିକର୍ ଏବଂ ସାଣ୍ଡଲ୍ ପିନ୍ଧିପାରିବେ, କିନ୍ତୁ ସ୍ଲିପର୍ ପିନ୍ଧି ପାରିବେ ନାହିଁ।