Odisha Link
Bridging the Missing Links in Odisha

ଆଜି ନୂଆଁଖାଇ: ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ। ଘରବାହୁଡା ପାଇଁ ରେଳ ଷ୍ଟେସନରୁ ଆରମ୍ଭ କରି ବସଷ୍ଟାଣ୍ଡ ଯାଏ ସବୁଠି ଯାତ୍ରୀଙ୍କ ନାହିଁନଥିବା ଭିଡ। ସେପଟେ ସବୁ ଘର ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂରି ଉଠିଛି। ଦୀର୍ଘ ଦିନ ପରେ ଆପଣାର ଲୋକଙ୍କୁ ପାଇ ପ୍ରତି ପରିବାରରେ ଖୁସି କହିଲେ ନସରେ।

ସେପଟେ, ପିଠା ପଣାର ଆସର ବି ଜମି ଯାଇଥିବା ବେଳେ ନୂଆଁଖାଇ ପରେ କେମିତି ଦିନ କାଟିବେ ସେନେଇ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ସକାଳ ୧୦ଟା ୧୫ ମିନିଟରୁ ୧୦ଟା ୨୫ ମିନିଟ୍‌ ମଧ୍ୟରେ ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏଥିପାଇଁ ଗତ ନନ୍ଦୋତ୍ସବ ଦିନରୁ ଲଗ୍ନ ଧାର୍ଯ୍ୟ ହୋଇସାରିଛି। ସେପଟେ, ମାଁ ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗି ହେବା ପରେ ଅନ୍ୟ ପାଶ୍ୱର୍ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ। ଏହାପରେ ପଶ୍ଚିମ ଓଡିଶାବାସୀ ନିଜ ନିଜର ଇଷ୍ଟଦେବା ଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ।

ନୂଆଁଖାଇ ପାଇଁ ପାହୁର ପହଞ୍ଚିବା ପରେ ସମସ୍ତ ମନ୍ଦିରରେ ଲାଗିହେବ ନବାନ୍ନ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ।ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ପ୍ରତୀକ୍ଷାର ଅନ୍ତ ଘଟିଛି। ଆସିଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ବେଶ୍‌ କିଛି ଦିନ ଧରି ସବୁ ପରିବାରରେ ଚାଲିଥିଲା ଏଥିପାଇଁ ପ୍ରସ୍ତୁତି। ଆଉ ଏହି ପର୍ବରେ ସାମିଲ ହେବା ପାଇଁ ଦୂରଦୁରାନ୍ତରେ ଥିବା ପରିବାର ସଦସ୍ୟ ଘରକୁ ଫେରିଛି। ଗତବର୍ଷ ଲକଡାଉନ୍‌ ଯୋଗୁଁ ଏତେ ବଡ ପର୍ବ ସତ୍ତେ୍ୱ ଆସିପାରିନଥିବା ଘରର ପୁଅ ଏବର୍ଷ ପହଞ୍ଚିବା ପରେ ନିଶ୍ଚିତ ଭାବେ ପରିବାରରେ ଖୁସିର ମାହୋଲ ଫେରିଛି । ହେଲେ ନୂଆଁଖାଇ ବେଳେ ଉଜୁଜା ଚାଷ ଜମି ଚାଷୀର ମନରେ ଉତ୍ସାହ ପରିବର୍ତ୍ତେ ଉଦାସ ଭରି ଦେଇଛି। ଏକପ୍ରକାର ଏହି ପ୍ରସିଦ୍ଧ ପର୍ବ ଚାଷୀ ପୁଅ ପାଇଁ କେବଳ ବିଧିରକ୍ଷାରେ ସୀମିତ ହୋଇଯାଇଛି।

Leave A Reply

Your email address will not be published.