Odisha Link
Bridging the Missing Links in Odisha

ଆଉ ଏକ ଲଘୁଚାପ, ୨୬ରୁ ବର୍ଷିବ

ଭୁବନେଶ୍ୱର: ଲଘୁଚାପଜନିତ ବର୍ଷା ପରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ୨୪ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗକୁ ଆହୁରି ବର୍ଷା ହେବ। ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ। ମାତ୍ର ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ (୨୬ ତାରିଖବେଳକୁ) ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ। ଏହା ପ୍ରଭାବରେ ୨୬ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ। ପ୍ରବଳ ବର୍ଷା ଲାଗି ରହିବ।

ଗୁରୁବାର ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ପ୍ରବଳ ବର୍ଷା ସମ୍ଭାବନା କମ୍‌। ଶୁକ୍ରବାର ବିଶେଷ ବର୍ଷା ହେବନି। ୨୫ରୁ ବର୍ଷା ବଢ଼ିବ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଅନେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି। ୨୬ରୁ ବର୍ଷା ପ୍ରକୋପ ଆହୁରି ବଢ଼ିଯିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

Leave A Reply

Your email address will not be published.