Odisha Link
Bridging the Missing Links in Odisha

ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ନନ୍ଦ ସାର

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜକୀୟ ସମ୍ମାନ ସହ ଶେଷକୃତ୍ୟ କରାଯାଇଛି

ଯାଜପୁର: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଣୀ ଗୁରୁ ନନ୍ଦକିଶୋର ପୃଷ୍ଟି। ମଙ୍ଗଳବାର ରାତିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜକୀୟ ସମ୍ମାନ ସହ ଏହି ଶେଷକୃତ୍ୟ କରାଯାଇଛି । ଏହି ସମୟରେ କୋଭିଡ କଟକଣା ଭିତରେ ପରିବାର ଲୋକଙ୍କ ଉପସ୍ଥିତରେ ଶେଷ କୃତ୍ୟ କରାଯାଇଥିଲା।

ସାନପୁଅ ନିରଂଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମୟରେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହୁଲ ପିଆରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ରହି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାରର ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ମଙ୍ଗଳବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ପରେ ସ୍ଥିତି ଜଟିଳ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ପରଲୋକ ହୋଇଛି ।

ଯାଜପୁରର ଶିକ୍ଷକ ନନ୍ଦକିଶୋର ପୃଷ୍ଟି ନିଜର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଗହଣରେ ନନ୍ଦ ସାର୍‌ ନାମରେ ପରିଚିତ। ଗତ ମାସରେ ସେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ। ଦୀର୍ଘ ୭୫ ବର୍ଷ ଧରି ଗାଁ ଚାଟଶାଳୀରେ ସେ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରିଆସୁଛନ୍ତି। ପଦ୍ମଶ୍ରୀ ସମ୍ମାନ ଗ୍ରହଣ ସମୟରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବାର ଫଟୋ ବେଶ୍‌ ଚର୍ଚ୍ଚାକୁ ଆସିଥିଲା।

Leave A Reply

Your email address will not be published.