Odisha Link
Bridging the Missing Links in Odisha

ଜଗତସିଂହପୁରରେ ୨୧୪ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । ଏହାବ୍ୟତୀତ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହାଦ୍ବାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥି ପାଇଁ ଆମେ କାମ କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ । ଜଗତସିଂହପୁର ମା ଶାରଳା ଓ ଙ୍କ ପୀଠ ମାତୃ ପୀଠଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାରାଦୀପ ଠାରେ ବିଜୁ ବାବୁ ଓଡିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ । ପାରାଦୀପ ଆଜି ଦେଶର ଏକ ସମୃଦ୍ଧ ବନ୍ଦର ଭାବରେ ଅନେକ ସୁଯୋଗ ସୃଷ୍ଟି କରିଛି ଏବଂ ଆମ ଅର୍ଥନୀତିର ଜୀବନରେଖା ହୋଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ଶାରଳାଙ୍କ ପୀଠ ହେଉଛି ମାତୃ ପୀଠ । ଜିଲ୍ଲାର ମିଶନ ଶକ୍ତିର ମା ମାନେ ଆଜି ବିକଶର ସାରଥୀ ହୋଇଛନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା ସହିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୧ କୋଟି ଟଙ୍କା ଓ ବ୍ଲକ୍‌ ସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ଏକ ରିଭଲ୍‌ଭିଂ ଫଣ୍ଡର ବ୍ୟବସ୍ଥା ରଖାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସ୍ବାସ୍ଥ୍ୟସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ଆମର ନୀତି ହେଉଛି ପ୍ରତି ଜୀବନ ମୂଲ୍ୟବାନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶ ପାଇଁ ଏକ ମଡେଲ ହୋଇଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ୮ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ୧୬୦୦ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି ଏବଂ ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସ୍କୁଲକୁ ରୂପାନ୍ତରଣ କରାଯିବ।

Leave A Reply

Your email address will not be published.