Odisha Link
Bridging the Missing Links in Odisha

ଆମେରିକା: ରାଷ୍ଟ୍ରପତି ଦୌଡ଼ରେ ବିବେକ ରାମସ୍ୱାମୀ

ପୂର୍ବରୁ ରିପବ୍ଲିକାନ ଦଳର ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ସୂଚନା ଦେଇଥିବାବେଳେ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛନ୍ତି ବିବେକ।

ଓଏଲ୍‌ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ହାଇଭୋଲଟେଜ ନିର୍ବାଚନକୁ ଦେଢ଼ ବର୍ଷରୁ ଅଧିକ ସମୟଥିବା ସତ୍ତ୍ବେ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

ସେ ଘୋଷଣା କରିବା ସହିତ ଚୀନକୁ ଟାର୍ଗେଟ ମଧ୍ୟ କରିଛନ୍ତି। ଦେଶକୁ ଆଗେଇ ନେବାର ପ୍ରତିଶ୍ରୁତି ସହ ଚୀନ ଉପରେ ନିର୍ଭରଶୀଳତାର ଅନ୍ତ ଘଟାଇବା ଲାଗି ଦେଇଛନ୍ତି ପ୍ରତିଶ୍ରୁତି। ପୂର୍ବରୁ ରିପବ୍ଲିକାନ ଦଳର ନିକ୍କି ହାଲେ ରାଷ୍ଟ୍ରପତି ନିର୍ବାଚନ ଲଢିବା ଲାଗି ସୂଚନା ଦେଇଥିବାବେଳେ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛନ୍ତି ବିବେକ।

ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଫକ୍ସ ନ୍ୟୁଜ୍‌ର ଟକର କାର୍ଲସନଙ୍କ ପ୍ରାଇମ୍‌ ଟାଇମ୍‌ ସୋ’ର ଲାଇଭ୍‌ ଇଣ୍ଟରଭ୍ୟୁରେ ଘୋଷଣା କରିଥିଲେ ବିବେକ ରାମସ୍ବାମୀ। ୩୭ ବର୍ଷୀୟ ରାମସ୍ବାମୀଙ୍କ ବାପା-ମା’ କେରଳରୁ ଯାଇ ଆମେରିକାର ଓହିଓରେ ଜେନେରାଲ ଇଲେକ୍ଟ୍ରିକ୍‌ ପ୍ଲାଣ୍ଟରେ କାମ କରୁଥିଲେ। ଦ୍ବିତୀୟ ପିଢ଼ି ଭାରତୀୟ ଆମେରିକୀୟ ରାମସ୍ବାମୀ ୨୦୧୪ରେ ରାୟୋଭାଣ୍ଟ ସାଇନ୍ସେସ୍‌ ପ୍ରତିଷ୍ଠା କରିଥିଲେ। ଏହାପରେ ୨୦୧୫-୨୦୧୬ରେ ବୃହତ୍ତମ ବାୟୋଟେକ୍‌ ଆଇପିଓର ନେତୃତ୍ବ ନେଇଥିଲେ।୨୦୨୨ରେ ବିବେକ ଷ୍ଟ୍ରାଇଭ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ଫାର୍ମ ଆରମ୍ଭ କରିଥିଲେ।

ସେ ସାକ୍ଷାତକାରରେ କହିଛନ୍ତି, ଚୀନ୍‌ ଆମ ସାର୍ବଭୌମତାର ଉଲ୍ଲଂଘନ କରି ଆମ ଆକାଶରେ ଗୁପ୍ତଚର ବେଲୁନ ଉଡ଼ାଇଲା। ହେଲେ ଆମେ ଚୁପ୍‌। ସେହି ବେଲୁନ୍‌ଟି ଯଦି ରୁଷ୍‌ ବେଲୁନ ହୋଇଥାନ୍ତା ତେବେ ସଙ୍ଗେ ସଙ୍ଗେ ତଳକୁ ଖସାଇଥାନ୍ତୁ ଏବଂ ରୁଷ୍‌ ବିରୋଧରେ କଟକଣା ଲଗାଇଥାନ୍ତୁ। ଚୀନ୍‌ ବେଲୁନ ଖସେଇବାକୁ ଏତେ ଡେରି କାହିଁକି ହେଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ବିବେକ କହିଛନ୍ତି, ଆମେରିକୀୟମାନେ ବର୍ତ୍ତମାନ ଜାତୀୟ ପରିଚୟ ସଂକଟର ଦୋଛକିରେ ରହିଛନ୍ତି। ଏହାକୁ ଟାଳିବା ଲାଗି ସେ କାର୍ଯ୍ୟ କରିବେ। ପ୍ରତିଟି ଜୀବନରେ ଆମେରିକୀୟ ଭାବପ୍ରବଣତାକୁ ଭରି ଦେବା ଲାଗି ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପ୍ରବେଶ କରିଥିବା ଭାରତୀୟ ଆମେରିକୀୟ ରାମସ୍ବାମୀଙ୍କ ଏହି ବୟାନକୁ ବିପୁଳ ସମର୍ଥନ ମିଳିଛି।

Leave A Reply

Your email address will not be published.