Odisha Link
Bridging the Missing Links in Odisha

ରାଜ୍ୟ ବଜେଟ୍ : ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୦ କୋଟି

ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି।

ଓଏଲ୍‌ ବ୍ୟୁରୋ : ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବଜେଟ ଅଧିବେଶନ ଆୟୋଜିତ ହେଉଛି। ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଗମନାଗମନ ସଶକ୍ତିକରଣ ପାଇଁ ନୂଆ ଯୋଜନା କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନାରେ ଇମ୍ୟୁନିଟି ସପୋର୍ଟ ଷ୍ଟାପ ଓ ଇସି ସଦସ୍ୟଙ୍କୁ ମିଳିବ ସ୍କୁଟର। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଉଛି। ସ୍କୁଟର ଯୋଜନା ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମିଶନ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଉଦ୍ୟୋଗୀ ପାଇଁ ୧୦୦ କୋଟି ବ୍ୟୟ ଅଟକଳ ହୋଇଛି। ବଜେଟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧିନରେ ୯ ଶହ ୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ତାଙ୍କର ମହାସଂଘ ପାଇଁ ଆର୍ଥିକ ସହାୟତା ବାବଦରେ ୯ ଶହ ୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩ଶହ ୨୦ କୋଟି ଟଙ୍କା, ଜିଲ୍ଲା ମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧ ଶହ ୫୦ କୋଟି ଟଙ୍କା ଓବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ ଶହ ୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି।

ବଜେଟରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା। ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି। ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

କୃଷି ବଜେଟ ପାଇଁ ଅଟକଳ ମୂଲ୍ୟ ରହିଛି ୨୪ ହଜାର ୮୨୯ କୋଟି ଟଙ୍କା। ସରକାର କାଳିଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ୧ ହଜାର ୮ ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଶିକ୍ଷା ଓ ଭିତ୍ତିଭୁମି ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଚାଷୀଙ୍କ ଆୟ ବୃଦ୍ଧି ସାଙ୍ଗକୁ ଉଦ୍ୟାନ କୃଷି ମଧ୍ୟ କୃଷକଙ୍କୁ ସଶକ୍ତ କରିଛି। ଉଦ୍ୟାନ କୃଷି ନିମନ୍ତେ ୩୮୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ମାଧ୍ୟମରେ କହିଛନ୍ତି।

ଅନ୍ୟପକ୍ଷେ, ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ବ୍ୟୟ ବରାଦ ହୋଇଛି। ଜଳସେଚନ ପ୍ରକଳ୍ପ ଗୁଡ଼ିକର ଆଧୁନିକୀକରଣ ପାଇଁ ନବକୃଷ୍ଣ ଚୌଧୁରୀ ଜଳସେଚନ ଉନ୍ନୟନ ଯୋଜନାରେ ୧ ଶହ ୨୫ କୋଟି ଟଙ୍କାର ବ୍ୟୟବରାଦ ରହିଛି। ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟୟବରାଦ କରାଯାଇଛି। ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ବ୍ୟୟ ଅଟକଳ ହୋଇଛି । ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୧ ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ବ୍ୟୟ ବରାଦ ହୋଇଥିବାବେଳେ ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ବ୍ୟୟ ଅଟକଳ ହୋଇଛି। ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା ମାଧ୍ୟମରେ କହିଛନ୍ତି।

Leave A Reply

Your email address will not be published.