‘ଶାସକ ଦଳ କୌରଵଙ୍କ ଭଳି ଧ୍ୱଂସ ପାଇଯିବ’
ଆମେ ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ। ଧର୍ମରେ ଥିବାରୁ ଆମର କିଛି ଅସୁବିଧା ହେବନି।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଚାଲିଛି ଆଲୋଚନା। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶାସକ ଦଳକୁ କୌରଵଙ୍କ ତୁଳନା କରିଛନ୍ତି। ସେ କହିଛନ୍ତି, ଯିଏ ଶାସନ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ। ଶାସକ ଦଳ କୌରଵ ଭଳି ଧ୍ୱଂସ ପାଇଯିବ। କୌରବମାନେ ଯେମିତି ଅତ୍ୟଧିକ ଗର୍ବ ଏବଂ ଅହଂକାର ପାଇଁ ଯେମିତି ସେମାନେ ବୁଡି ଗଲେ ଏମାନେ ବି ଯେଉଁ ଅହଂ ଭାବ ଦେଖାଉଛନ୍ତି ଏମାନେ ବି ବୁଡି ଯିବେ। ଏମାନେ ଥରେ ବୁଡି ଗଲେ ଧ୍ବଂସ ପାଇଯିବେ।
ଜୟନାରାୟଣ କହିଛନ୍ତି, ଆମେ ପାଣ୍ଡଵ କି କଣ ଆମେ ଜାଣି ନାହୁଁ, କିନ୍ତୁ ଆମେ ଧର୍ମ ମାର୍ଗରେ ଅଛୁ। ଆମେ ଧର୍ମକୁ ସାକ୍ଷୀ ରଖି ସବୁ କାମ କରୁଛୁ। ଧର୍ମରେ ଥିବାରୁ ଆମର କିଛି ଅସୁବିଧା ହେବନି। ସେହିଭଳି ତାଙ୍କୁ ଶକୁନି ଭାବେ ଆକ୍ଷେପ କରାଯାଉଥିବା ପ୍ରସଙ୍ଗକୁ ନେଇ ଜୟନାରାୟଣ କହିଛନ୍ତି, ଶକୁନି ତାର ଲକ୍ଷ୍ୟ ପ୍ରାପ୍ତି ଲାଗି କାମ କରୁଥିଲା। କୌରବ ବଂଶକୁ ଧ୍ୱଂସ କରିବା ଲାଗି କାମ କରୁଥିଲା ଶକୁନି, ଯାହା ଆମେ ମହାଭାରତରୁ ପଢିଛୁ। କିଏ ଶକୁନି, କିଏ ପାଣ୍ଡଵ ଏବଂ କିଏ କୌରବ ଆଗାମୀ ଦିନରେ ଜଣାପଡିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।
ଅନ୍ୟପକ୍ଷେ, ଆଜି ଗୃହରେ ପ୍ରଶ୍ନକାଳ ଜାରି ରହିଥିବାବେଳେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶଂସାକୁ ନେଇ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗରେ ବିଜେଡିକୁ ତେର୍ଚ୍ଛା ବାଣ ମାରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଭର୍ତ୍ତୃହରି ଜଣେ ଦକ୍ଷ ନେତା, ଲୋକସଭାରେ ପରଫରମାନ୍ସ ଭଲ। ଭର୍ତ୍ତୃହରି ମହତାବଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା ତେଣୁ ଭର୍ତ୍ତୃହରି ମହତାବ ସେ ପଦ ପାଇଲେ ନାହିଁ।