Odisha Link
Bridging the Missing Links in Odisha

କେରଳ ଗସ୍ତ ପୂର୍ବରୁ ପିଏମ୍‌ ମୋଦିଙ୍କୁ ହତ୍ୟା ଧମକ, ହାଇଆର୍ଲଟ ଜାରି

ଓଏଲ୍‌ ବ୍ୟୁରୋ: ସୋମବାରରୁ ଦୁଇ ଦିନିଆ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସବୁ ମଧ୍ୟରେ ପିଏମ୍‌ ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଯାହାରିଫଳରେ କେରଳରେ ହାଇଆର୍ଲଟ ଜାରି କରାଯାଇଛି।

ପ୍ରଧାମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ ଏହି ଧମକପୂର୍ଣ୍ଣ ଚିଠି ଉପରେ ସୂଚନା ଦେଇଛନ୍ତି। ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେ‌ଖା ହୋଇଛି ବୋଲି ସେ କହିଛନ୍ତି। ଏହି ଚିଠିରେ ଏପ୍ରିଲ ୨୪ ତାରିଖରେ କୋଚିଠାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଆତ୍ମଘାତି ବୋମା ବିସ୍ଫୋରଣର ଧମକ ଦିଆଯାଇଛି। କେ.ସୁରେନ୍ଦ୍ରନ ପୁଲିସକୁ ଏହି ଧମକପୂର୍ଣ୍ଣ ଚିଠି ହସ୍ତାନ୍ତର କରିଛନ୍ତି। ଏହି ଚିଠି ପଠାଇଥିବା ଲୋକ ଚିଠିରେ ନିଜ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ କରିଛି। ପୁଲିସ ଏବେ ସେହି ଠିକଣାରେ ପହଁଞ୍ଚି ତନାଘନା କରୁଥିବା ସୂଚନା ରହିଛି।

ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ପୁଲିସ୍ ଏନ୍‌କେ ଜନି ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଛି। କାରଣ ଚିଠିରେ ତାଙ୍କ ଘରର ଠିକଣା ରହିଛି। ତେବେ କୋଚିର ଏହି ବ୍ୟକ୍ତି ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଉପରେ କେହି ରାଗ ରଖି ଏଭଳି ଏକ ପଦକ୍ଷେପ ନେଇଛି।

ସୂଚନାଥାଉକି, କେରଳ ଗସ୍ତରେ ଯାଇ ପିଏମ୍‌ ମୋଦି କେଳରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ। ଏଥିସହିତ କୋଚି ଓ୍ବାଟର ମେଟ୍ରୋର ଶୁଭାରମ୍ଭ କରିବେ।

Leave A Reply

Your email address will not be published.