Odisha Link
Bridging the Missing Links in Odisha

ଚର୍ଚ୍ଚାରେ କପିଳେଶ୍ବର ମନ୍ଦିର, ଚିଠି ଓ ଟ୍ବିଟ୍‌ 

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ଐତିହ୍ୟ ମାନ୍ୟତା ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମେ’ ୫ରେ ଏନେଇ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ମଧ୍ୟରେ କପିଳେଶ୍ବର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଦେବା ପ୍ରସଙ୍ଗରେ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ଛକାପଞ୍ଝା ସାମ୍ନାକୁ ଆସିଛି।

ମଙ୍ଗଳବାର ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇକୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରାୟ ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ସୁନ୍ଦର ଐତିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ। ଏହି ଶୈବପୀଠ ପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ। ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଆଜି ଅବହେଳିତ। ମନ୍ଦିର ଚତୁପାର୍ଶ୍ୱ ଜବରଦଖଲ ହୋଇଥିବା ବେଳେ ସେଠାରେ ଆବର୍ଜନା ଏବଂ ଡ୍ରେନ ସମସ୍ୟା ଚିନ୍ତାର କାରଣ ହୋଇଛି। ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମନ୍ଦିରର କୀର୍ତ୍ତିରାଜି ନଷ୍ଟ ହେଉଛି। ଏହାବ୍ୟତିତ ଧ୍ୱନୀ ପ୍ରଦୂଷଣ ଓ ବିଶୃଙ୍ଖଳା ଯୋଗୁଁ ମନ୍ଦିର ପ୍ରାଙ୍ଗଣର ପବିତ୍ରତା କ୍ଷୟ ହେବାକୁ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଏହି ପ୍ରାଚୀନ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଏଏସଆଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କପିଳେଶ୍ୱର ମନ୍ଦିର ଏକ ଧାର୍ମିକ ସ୍ଥଳୀ ନୁହେଁ ବରଂ ଜାତୀୟ ସମ୍ପତ୍ତି। ଏଏସଆଇ ଦ୍ୱାରା ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।

ଏଇ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କପିଳେଶ୍ବର ମନ୍ଦିର ପ୍ରସଙ୍ଗଟି ଏବେ ରାଜ୍ୟ ରାଜନୀତିରେ ନାଟକୀୟ ମୋଡ଼ ନେଇଛି। କାରଣ ସଂନ୍ଧ୍ୟାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କପିଳେଶ୍ବର ମନ୍ଦିରକୁ ଏଏସ୍‌ଆଇ ନେବା ପ୍ରସଙ୍ଗରେ ଏକ ଟ୍ବିଟ୍‌ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅପରାଜିତା ଲେଖିଛନ୍ତି ଯେ, ତାଙ୍କ ଉଦ୍ୟମ ଯୋଗୁ ହିଁ କପିଳେଶ୍ବର ମନ୍ଦିର ଏଏସ୍‌ଆଇ ଅଧୀନକୁ ଯାଉଛି। ଏପ୍ରିଲ ୩ ତାରିଖରେ କପିଳେଶ୍ବର ମନ୍ଦିର ଦାୟିତ୍ବ ଏଏସ୍‌ଆଇ ନେଉ ବୋଲି ଚିଠି ଲେଖିବା ସହିତ ଏପ୍ରିଲ ୪ ତାରିଖରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଭେଟି ଦାବି କରିଥିଲେ। ମନ୍ଦିରର ପୂଜକ ଓ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସେ କପିଳେଶ୍ବର ମନ୍ଦିର ବୁଲିବା ସହ ଏହାର ରକ୍ଷଣାବେକ୍ଷର ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଥିଲେ।

ଏବେ ସଂସ୍କୃତି ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।ଏଥିସହିତ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା, ମନ୍ଦିର ବୁଲିବାର ଫଟୋ ବି ଅପରାଜିତା ଟ୍ବିଟ୍‌ କରିଛନ୍ତି। ତେବେ ଓଡ଼ିଶା ବିଜେପିର ଦୁଇ ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀ ଶ୍ରେୟ ନେବାକୁ ଭିଡ଼ାଭିଡ଼ି ହୋଇଛନ୍ତି। ସବୁଠୁ ବଡ଼କଥା ହେଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳ ଗେଜେଟ୍‌ ବିଜ୍ଞପ୍ତି ସମ୍ପର୍କରେ ଶ୍ରୀ ପ୍ରଧାନ ଅବଗତ ନଥିଲେ ନା ଏହାର ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଥାଉକି, ଗତ ମାର୍ଚ୍ଚ ମାସରେ ଚର୍ଚ୍ଚାରେ ଥିଲା କପିଳେଶ୍ବର ମନ୍ଦିର। କାରଣ କପିଳେଶ୍ବର ମନ୍ଦିରର ସେବାୟତଙ୍କ ବିବାଦ ଯୋଗୁଁ ୧୦ ଦିନ ଧରି ଠାକୁରଙ୍କ ପୂଜାର୍ଚ୍ଚନା ବନ୍ଦ ହୋଇଥିଲା ଓ ଠାକୁର ଉପାସରେ ରହିଥିଲେ। ଆଉ ସେତେବେଳେ କୌଣସି ରାଜେନତା, ଦଳ ବା ସରକାର କିଛି ବି ସମାଧାନର ବାଟ କାଢ଼ି ନଥିଲେ। ଶତାଧୀକ ମହିଳା ମନ୍ଦିରର ତାଲା ଭାଙ୍ଗି ପଶିଥିଲେ। ତାପରଠୁ କପିଳେଶ୍ବର ପୀଠରେ ପୂଜାର୍ଚ୍ଚନା ଚାଲିଛି।

Leave A Reply

Your email address will not be published.