Odisha Link
Bridging the Missing Links in Odisha

ଝାରସୁଗୁଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବାକୁ ଥିବା ବେଳେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ମକ୍ ପୋଲିଂ କରାଯିବ। ସ୍ୱଚ୍ଛତା ଓ ବୁଥ ଦଖଲକୁ ରୋକିବା ପାଇଁ ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।

ପ୍ରଥମଥର ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ହେବ ଓ୍ବେବକାଷ୍ଟିଂ। ଚଳିତଥର ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି।

ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୨୬ଟି ପିଙ୍କ୍ ବୁଥ୍ କେବଳ ମହିଳା ଭୋଟରଙ୍କ ପାଇଁ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ପ୍ରତି ବୁଥରେ ୪ଜଣ ଲେଖାଏଁ ପୋଲିଂ ଅଫିସରଙ୍କୁ ମିଶାଇ ମୋଟ ୧ହଜାର ୧୨ଜଣ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି। ଏଥିସହିତ ୯୬ ଜଣ ପୋଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯିବା ସହ ୬୯ଟି ବୁଥରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯାଇଛି।

ମୋଟ୍ ୧,୧୫୫ ପୁଲିସ ଅଧିକାରୀଙ୍କ ସମେତ ୮୧୪ ପୁଲିସ କର୍ମଚାରୀ, ୧୭ ପ୍ଲାଟୁନ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ, ୩୨୩ ହାବିଲଦାର/ କନଷ୍ଟେବଳ, ମତଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୨୦୫ ଜଣ ହୋମଗାର୍ଡ ଏବଂ ୭ ସିଏପିଏଫ୍ ମୁତୟନ ହେବେ। ନିର୍ବାଚନମଣ୍ଡଳୀର ୧୪୪ଟି ବୁଥରେ ସିଏପିଏଫ୍ ଯବାନ ମୁତୟନ ହୋଇଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.