Odisha Link
Bridging the Missing Links in Odisha

ମେ’ ୨୮ରେ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଲୋକାର୍ପିତ ହେବ ଭାରତର ନୂଆ ସଂସଦ ଭବନ। ମେ’ ୨୮ ତାରିଖରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଲୋସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି ନୂତନ ସଂସଦ ଭବନ ଉଦଘାଟନ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ତ୍ରିଭୁଜାକାର ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ୨୦୨୧ ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିଲା।

ଖର୍ଚ୍ଚ ୧୨୦୦ କୋଟି:

୪ ମହଲା ବିଶିଷ୍ଟ ନୂଆ ବିଲଡିଂକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ମଧ୍ୟରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ମଧ୍ୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଦର୍ଶନ କରିବା ପାଇଁ ଗୋଟିଏ ବିରାଟ ସମ୍ବିଧାନ ହଲ ତିଆରି କରାଯାଇଛି। ଖାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ରହିଛି।

ରହିଛି ଏହି ସବୁ ସୁବିଧା:

ନୂଆ ବିଲଡିଂରେ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ରହିଛି। ସାଂସଦ, ଭିଆଇପି ଓ ପରିଦର୍ଶକଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା କରାଯାଇଛି। ଏଠାରେ ଗୋଟିଏ ପାଠାଗାର, ଅନେକ ସମିତି ଏବଂ ଡାଇନିଙ୍ଗ ରୁମ୍‌ ମଧ୍ୟ ରହିଛି। ନୂଆ ସଂସଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ମସିହା ଡିସେମ୍ବର ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୨ ନଭେମ୍ବର ସୁଦ୍ଧା ଏହାର ନିର୍ମାଣ କାମ ଶେଷ ହେବାର ଥିଲା। କିନ୍ତୁ ଧାର୍ଯ୍ୟ ସମୟରେ ଏହା ଶେଷ ହୋଇ ପାରି ନଥିଲା।

ସୂଚନାଥାଉକି, ଟାଟା ପ୍ରୋଜେକ୍ଟ ଲିଃ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ବିଲ୍‌ଡିଂକୁ ମୋଦି ସରକାରଙ୍କ ୯ ବର୍ଷ ଶାସନ ପୂର୍ତ୍ତି ଅବସରରେ ଉଦଘାଟିତ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମେ’ ୨୬ରେ ଶପଥ ଗ୍ରହଣ କରିଥିଲେ। ତେଣୁ ୨୦୨୩ ମେ’ ୨୬ରେ ତାଙ୍କ ଶାସନକୁ ୯ ବର୍ଷ ପୂରିବ।

Leave A Reply

Your email address will not be published.