Odisha Link
Bridging the Missing Links in Odisha

‘ବନ୍ଦେ ଭାରତ ଏକ୍ସପ୍ରେସ’ରେ ଯାତ୍ରା କଲେ କେତେ ପଡ଼ିବ ଭଡ଼ା! ଜାଣନ୍ତୁ କଣ ରହିଛି ସୁବିଧା

ଏହି ରେଳ ଆସନ୍ତା ୨୦ତାରିଖରୁ ନିୟମିତ ଭାବେ ଚଳାଚଳ କରିବ।

ଓଏଲ୍‌ ବ୍ୟୁରୋ: ଗୁରୁବାର ଓଡ଼ିଶାରେ ପୁରୀ-ହାୱାଡା ମାର୍ଗରେ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ପୁରୀରେ ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ। ଗତକାଲି ଏହି ଯାତ୍ରା ଆରମ୍ଭ କରି ଆଜି ହାୱାଡାରେ ପହଞ୍ଚିଛି। ତେବେ ଏହି ରେଳ ଆସନ୍ତା ୨୦ ତାରିଖରୁ ନିୟମିତ ଭାବେ ଚଳାଚଳ କରିବ। ଏହି ରେଳରେ ଯାତ୍ରା କରିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ରହିଛି।

ଜାଣନ୍ତୁ ଏହି ରେଳରେ କଣ ରହିଛି ସୁବିଧା…

ସୂଚନା ଅନୁସାରେ, ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଆରାମଦାୟକ ସିଟ୍ ଥିବା ଏହି ଟ୍ରେନରେ ସମସ୍ତ ଆଧୁନିକ ସୁବିଧାସୁଯୋଗ ରହିଛି। ଏହି ଟ୍ରେନରେ ମୋଟ ୧୬ଟି ବଗି ଥିବାବେଳେ ସେଥିରେ ଅଟୋମେଟିକ ଡୋର, ଜିପିଏସ୍ ଆଧାରିତ ଅଡିଓ-ଭିଜୁଆଲ ଯାତ୍ରୀଙ୍କ ସୂଚନା ବ୍ୟବସ୍ଥା, ହଟସ୍ପଟ ଓ ୱାଇଫାଇ ସୁବିଧା ସହ ସମସ୍ତ ଟଏଲେଟକୁ ବାୟୋ-ଭ୍ୟାକୁମ୍ ଭଳି କରାଯାଇଛି। ଏହି ଟ୍ରେନର ଡିଜାଇନ୍, ଆରାମଦାୟକ ସିଟ୍ ସହ ଗୁଣାତ୍ମକ ମାନର ଖାଦ୍ୟପେୟ ଏବଂ ମନୋରଞ୍ଜନ ସୁବିଧା ହିଁ ଯାତ୍ରୀଙ୍କୁ ଏହି ଟ୍ରେନ ପ୍ରତି ବିଶେଷ ଆକର୍ଷିତ କରିବ ବୋଲି କୁହାଯାଉଛି।

କେତେ ସମୟ ଯାତ୍ରା କରିବ ଏହି ରେଳ!

‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ ମାତ୍ର ୬ଘଣ୍ଟା ୨୦ମିନିଟରେ ପୁରୀରୁ ହାୱାଡାରେ ପହଂଚିବ। ହାୱାଡାରୁ ସକାଳ ୬ଟା ୧୦ମିନିଟରେ ବାହାରି ଏହି ଟ୍ରେନ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ଦିନ ୧୨ଟା ୩୫ମିନିଟରେ ପହଂଚିବ। ସେହିପରି ପୁରୀରୁ ଦିନ ୧ଟା ୫୦ମିନିଟରେ ବାହାରି ଉକ୍ତ ମାର୍ଗ ଦେଇ ହାୱାଡାରେ ରାତି ସାଢ଼େ ୮ଟାରେ ପହଂଚିବ ବୋଲି ଜଣାପଡ଼ିଛି।

ଜାଣନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ଭଡ଼ା କେତେ?

ଏହି ଟ୍ରେନରେ ପୁରୀରୁ ହାୱାଡାକୁ ଭଡ଼ା ଏକଜ୍ୟୁକୁଟିଭ ବର୍ଗରେ ୨୧୧୦ଟଙ୍କା(ଖାଇବା ଛାଡ଼ି) ଓ ଚେୟାର କାର ଭଡ଼ା ୧୦୫୦ଟଙ୍କା ରହିଛି। ତେବେ ପୁରୀରୁ ଭୁବନେଶ୍ୱରରୁ ଏକଜ୍ୟୁକୁଟିଭ ବର୍ଗର ଭଡ଼ା ୭୮୫ଟଙ୍କା ଓ ଚେୟାର କାର ଭଡ଼ା ୪୦୦ଟଙ୍କା ରହିଥିବା ଜଣାପଡ଼ିଛି। ଏହି ଟ୍ରେନରେ ପୁରୀ-ହାୱାଡା ପାଇଁ ଏକଜ୍ୟୁକୁଟିଭ ବର୍ଗର ଯାତ୍ରୀଙ୍କୁ ଖାଇବା ବାବଦରେ ୧୯୫ଟଙ୍କା ଓ ଚେୟାର କାର ବର୍ଗର ଯାତ୍ରୀଙ୍କୁ ୧୬୨ଟଙ୍କା ଦେବାକୁ ପଡ଼ିବ।

ଭୁବନେଶ୍ୱର-ପୁରୀ ଚେୟାର କାର ବର୍ଗରେ ଭଡ଼ା ୪୦୦ଟଙ୍କା ରହିଥିବାବେଳେ ଏକଜ୍ୟୁକୁଟିଭ ବର୍ଗରେ ଭଡ଼ା ୭୮୫ଟଙ୍କା ରହିଛି ଓ ଏହି ଦୁଇବର୍ଗର ଯାତ୍ରୀ ଚାହିଁଲେ ଖାଇବା ସୁବିଧା ଅତିରିକ୍ତ ୫୫ଟଙ୍କା ଦେଇ ନେଇପାରିବେ। ସେହିପରି ଭୁବନେଶ୍ୱର-ବାଲେଶ୍ୱର ଭଡ଼ା ୫୯୫ଟଙ୍କା(ଚେୟାର କାର) ଓ ୧୧୯୫(ଏକଜ୍ୟୁକୁଟିଭ କ୍ଲାସ), ଭୁବନେଶ୍ୱର-ହାୱାଡା ଭଡ଼ା ୯୫୫ଟଙ୍କା(ଚେୟାର କାର) ଓ ୧୯୩୦ଟଙ୍କା(ଏକଜ୍ୟୁକୁଟିଭ କ୍ଲାସ) ପାଇଁ ରହିଛି। ପୁରୀ-ହାୱାଡା ଏକଜ୍ୟୁକୁଟିଭ କ୍ଲାସ ଟିକେଟର ଦାମ ୨୧୧୦ଟଙ୍କା ଥିବାବେଳେ ସେଥିରେ ବେସ୍ ଚାର୍ଜ-୧୮୭୪ଟଙ୍କା, ରିଜର୍ଭେସନ ଚାର୍ଜ- ୬୦ଟଙ୍କା, ସୁପରଫାଷ୍ଟ ଚାର୍ଜ-୭୫ଟଙ୍କା ଓ ଜିଏସଟି-୧୦୧ଟଙ୍କା ରହିଛି।

Leave A Reply

Your email address will not be published.