Odisha Link
Bridging the Missing Links in Odisha

ନୂଆ ସଂସଦ ଭବନ ଉଦ୍‌ଘାଟନ ଆଜି

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ନୂତନ ମନ୍ଦିର ଲୋକାର୍ପଣ ହେବ। ଲୋକାର୍ପଣ ହେବ ସଂସଦର ନୂଆ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ସଂସଦର ନୂଆ ଭବନ ଉଦଘାଟନ ହେବ। ଏହାପୂର୍ବରୁ ଗତକାଲି ସନ୍ଧ୍ୟାରେ ତାମିଲନାଡ଼ୁର ଅଧୀନମ ମଠ ମହନ୍ତ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ’(ରାଜଦଣ୍ଡ) ହସ୍ତାନ୍ତର କରିଛନ୍ତି। ଅଧୀନମ ମହନ୍ତ ବୈଦିକ ମନ୍ତ୍ରୋଚାରଣ ସହିତ ଏହି ସାଂସ୍କୃତିକ ଐତିହ୍ୟକୁ ହସ୍ତାନ୍ତର କରିଥିଲେ। ଏହି ପରମ୍ପରା ନିର୍ବାହ ସମୟରେ ୨୧ ଜଣ ମହନ୍ତ ଉପସ୍ଥିତ ଥିଲେ। ସେଙ୍ଗୋଲ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅଙ୍ଗବସ୍ତ୍ର ଦିଆଯାଇଥିଲା ଏବଂ ଏହାପରେ ବୈଦିକ ରୀତି ଅନୁସାରେ ସେଙ୍ଗୋଲ ଅର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମ:

ଚୋଳ ଶାସନ ସମୟରେ କ୍ଷମତାର ପ୍ରତିକ ଏହି ରାଜଦଣ୍ଡ ଜଣେ ରାଜା ଅନ୍ୟଜଣକୁ ଶାସନ କ୍ଷମତା ଦେବା ବେଳେ ହସ୍ତାନ୍ତର କରିଥାଏ ବୋଲି ଇତିହାସ କୁହେ। ଏହି ରାଜଦଣ୍ଡକୁ ଆଜି ନୂଆ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ସ୍ଥାପନ କରାଯିବ। ଆଜି ସକାଳ ପ୍ରାୟ ସାଢେ ୭ଟାରେ ପୂଜା ଏବଂ ଯଜ୍ଞ ରହିଛି। ସକାଳ ପ୍ରାୟ ସାଢେ ୮ରୁ ୯ଟା ଭିତରେ ସେଙ୍ଗୋଲକୁ ସ୍ଥାପନ କରାଯିବ।

ଏହାପରେ ପ୍ରାୟ ସାଢେ ୯ଟା ବେଳକୁ ପାର୍ଲାମେଣ୍ଟ ଲବିରେ ପ୍ରାର୍ଥନା ସଭା ଏବଂ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ପାର୍ଲାମେଣ୍ଟ ଉପରେ ଦୁଇଟି ସର୍ଟଫିଲ୍ମ ପ୍ରଦର୍ଶିତ ହେବ। ଦିନ ପ୍ରାୟ ଗୋଟାଏ ବେଳକୁ ନୂଆ ୭୫ ଟଙ୍କା କଏନ ଏବଂ ଷ୍ଟାମ୍ପକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

କ’ଣ ରହିଛି ବିଶେଷତ୍ବ:

ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର। ୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା। ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ। ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ।

ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା। ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

Leave A Reply

Your email address will not be published.