Odisha Link
Bridging the Missing Links in Odisha

ବାହାନଗା ଟ୍ରେନ ଦୁର୍ଘଟଣା: ଯାତ୍ରୀଙ୍କୁ ନେଇ କୋଲକତା ଗଲା ୫୯ଟି ବସ୍‌

ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ।

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଥିବାରୁ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ମାଗଣା ବସ୍ ଚାଲିବା ନେଇ ଘୋଷଣା କରିବା ପରେ ଯାତ୍ରୀଙ୍କୁ ନେଇ କୋଲକତା ଗଲା ୫୯ଟି ବସ୍‌।

କାଲି ପୁରୀରୁ ୨୦, ଭୁବନେଶ୍ୱରରୁ ୨୩, କଟକରୁ ଗଲା ୧୬ଟି ବସ୍‌। ବାହାନଗା ରେଳ ଦୁର୍ଘଟଣା ଦୃଷ୍ଟିରୁ ଯାତ୍ରୀଙ୍କୁ ମାଗଣା ବସ୍ ବ୍ୟବସ୍ଥା କରାଯାଇଛି। ଏନେଇ ହେବାକୁ ଥିବା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ସୂଚନା ରହିଛି। ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ।

ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାଲେଶ୍ବର ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଏମିତି ସ୍ଥିତିରେ କୋଲକାତା ଯିବା ଆସିବା କରିବାକୁ ଲୋକେ ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ୩ଟି ସହରରୁ କୋଲକାତାକୁ ଆଜିଠାରୁ ମାଗଣା ବସ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.