Odisha Link
Bridging the Missing Links in Odisha

ଦିନକ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ, ଦକ୍ଷିଣ ମୋଡ଼ ନେଲା ନନ୍ଦିଘୋଷ ରଥ

ରଥଯାତ୍ରାଠୁ ଆରମ୍ଭ କରି ହେରାପଞ୍ଚମୀ ନୀତି ପର୍ଯ୍ୟନ୍ତ ସଠିକ୍‌ ଭାବେ ନୀତିକାନ୍ତି ଚାଲିପାରୁ ନାହିଁ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନିୟମ ଅନୁସାରେ ଦକ୍ଷିଣ ମୋଡ଼ ନେଲା ନନ୍ଦିଘୋଷ ରଥ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିଛି ତିନି ରଥ। ତେବେ ଦକ୍ଷିଣ ମୋଡ଼ ପର୍ବରୁ ହିଁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି।

ଅନ୍ୟପଟେ, ଚଳିତ ବର୍ଷ ଶ୍ରୀଜିଉଙ୍କ ରଥଯାତ୍ରାଠୁ ଆରମ୍ଭ କରି ହେରାପଞ୍ଚମୀ ନୀତି ପର୍ଯ୍ୟନ୍ତ ସଠିକ୍‌ ଭାବେ ନୀତିକାନ୍ତି ଚାଲିପାରୁ ନାହିଁ। ଆଉ ଏଥର ରଥଯାତ୍ରାରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ଅର୍ଥାତ୍‌ ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଏହି ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ ହୋଇ ଆସୁଥିଲା। କିନ୍ତୁ, ଚଳିତଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପରମ୍ପରାକୁ ଭାଙ୍ଗି ୫ ଦିନ ବଦଳରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ୬ ଦିନରେ ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ଆଜି ଭୋର୍‌ ପ୍ରାୟ ୫ଟା ୨୫ରେ ମା’ଙ୍କ ଏହି ନୀତି ସଂପନ୍ନ ହୋଇଛି। ସେପଟେ ନୀତି ବିଳମ୍ବ ଯୋଗୁ ମହାପ୍ରଭୁ ଅନିଦ୍ରା ରହିଥିଲେ। ବିନା ପହୁଡ଼ରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଛି।

ଏହାପୂର୍ବରୁ ବହୁ ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିନଥିଲା ରଥ। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର ଚାଲିଛି କାରଣ ଖୋଜା ଏବେ ବି ଚାଲିଛି। ସେହିପରି ଆଡ଼ପ ପହଣ୍ଡିରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା ପହଣ୍ଡି ବେଳେ ଚାର ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ପାର୍ଶ୍ବକୁ ପଡ଼ିଯିବାର ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏହି ଅଘଟଣ ପାଇଁ ମହାପ୍ରଭୁଙ୍କ ମସ୍ତକରେ ଲାଗିଥିବା ଚିତା ବି ଖସିପଡ଼ିଥିଲା।

Leave A Reply

Your email address will not be published.