Odisha Link
Bridging the Missing Links in Odisha

୨୦୧୯ର ପ୍ରତିଶୋଧ ନେଲା ବିଜେପି, ୨୦୨୪ ପାଇଁ ସଜବାଜ

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଏବେ ଜାତୀୟ ରାଜନୀତିରେ ଦୁଇଟି ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗୋଟିଏ ହେଲା ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିରୋଧୀଙ୍କ ମେଳି ଓ ଅନ୍ୟଟି ମହରାଷ୍ଟ୍ର ରାଜନୀତିର ମହାଭାରତ। ମହାରାଷ୍ଟ୍ରରେ ଶାସନାଧିନ ଥିବା ଶିବସେନା-ବିଜେପିର ମେଣ୍ଟ ସରକାରରେ ଅଜିତ ପାଓ୍ବାରଙ୍କୁ ବିଜେପି ସାମିଲ କରି ବିରୋଧୀଙ୍କୁ ଚେକମେଟ୍‌ କରିଛି। ସବୁଠୁ ବଡ଼କଥା ହେଲା ବିଜେପି ଅଜିତ ପାଓ୍ବାରଙ୍କୁ ମେଣ୍ଟରେ ସାମିଲ କରି ପୁରୁଣା ପ୍ରତିଶୋଧ ନେବାରେ ସଫଳ ହେବା ସହିତ ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ ଦେବେନ୍ଦ୍ର ଫର୍ଣ୍ଣାଡିସ୍‌ ଦବଦବା ଜାହିର କରିଛନ୍ତି।

ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆପଣାଉଛି ସ୍ବତନ୍ତ୍ର ରଣନୀତି। ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ଯେଉଁ ହାଇଡ୍ରାମା ଚାଲୁଛି ତାପଛରେ ରହିଛି ବଡ଼ କାରଣ। ବିଜେପିର ସବୁଠୁ ବଡ଼ ଲକ୍ଷ୍ୟ ହେଊଛି ମହାରାଷ୍ଟ୍ରରେ ଥିବା ୪୮ଟି ଲୋକସଭା ଆସନରୁ ଅଧିକ ଆସନରେ ବାଜିମାତ କରିବା। ଏବେ ଜୁନିଅର ପାଓ୍ବାରଙ୍କ ସମେତ ଏକନାଥ ସିନ୍ଦେଙ୍କ ସାଥ ବିଜେପି ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇଛି। ମହାରାଷ୍ଟ୍ରର ଯେଉଁ କ୍ଷେତ୍ରରେ ବିଜେପିର ସ୍ଥିତି ଭଲ ନାହିଁ ସେହି ସବୁ ସ୍ଥାନରେ ନିଜ ସ୍ଥିତି ଜାହିର କରିବା ପାଇଁ ଏହି ଦୁଇ ନେତାଙ୍କ ସାହାଯ୍ୟ ନେବ।

ଅଜିତ୍‌ଙ୍କୁ ଢାଲ କରି ସିନ୍ଦେ ଉପରେ ଅଙ୍କୁଶ ଲଗାଇ ପାରିବ କି ବିଜେପି ?

ବିଜେପି ମେଣ୍ଟରେ ଜୁନିଅର ପାଓ୍ବାରଙ୍କୁ ସାମିଲ କରି ଏକନାଥ ସିନ୍ଦେଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ରଣନୀତି ଆପଣାଇଥିବା ମଧ୍ୟ ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଏପରିକି ଶିନ୍ଦେଙ୍କ ଲୋକପ୍ରିୟତା ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି। ଲୋକପ୍ରିୟତା ମାମଲାରେ ଦେବନ୍ଦ୍ର ଫର୍ଣ୍ଣାଣ୍ଡିସଙ୍କଠୁ ବହୁ ଆଗରେ ଶିନ୍ଦେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏବେ ଅଜିତ୍‌ ପାଓ୍ବାର ମେଣ୍ଟରେ ସାମିଲ ହେବା ପରେ ସିନ୍ଦେଙ୍କ ଉପରେ ବିଜେପି ଯେଉଁ ନିର୍ଭର କରୁଥିଲା ତାହା କମ୍‌ ହେବାରେ ଲାଗିବ।

ମହାରାଷ୍ଟ୍ରର କରବୋପେଠ ବିଧାନସଭା ଉପନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ବିଜେପିର ଗଡ଼ କୁହାଯାଉଥିବା ଏହି ଆସନରେ ଦଳ ୨୮ ବର୍ଷ ପରେ ପରାଜିତ ହୋଇଥିଲା। ଏଥିସହିତ ବିଜେପି ବିଧାନ ପରିଷଦର କିଛି ନିର୍ବାଚନ ମଧ୍ୟ ହାରିଥିଲା। ଯାହା ବିଜେପି ପାଇଁ କଣ୍ଟା ସାଜିଥିଲା। ବିଜେପିର ଏଭଳି ହାର ମହାବିକାସ ଅଘାଡ଼ିକୁ ଆହୁରି ଶକ୍ତିଶାଳୀ କରିଥିଲା। ଏହାପରେ କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟ ମହାବିକାସ ଅଘାଡ଼ିର ଉତ୍ସାହକୁ ଦୁଇ ଗଣିତ କରିଥିଲା। ହେଲେ ବିଜେପି ଏବେ ମାଷ୍ଟ୍ରର ଷ୍ଟ୍ରୋକ୍‌ ଖେଳି ମହାବିକାସ ଅଘାଡ଼ିକୁ ସଙ୍କଟରେ ପକାଇ ଦେଇଛି।

ପ୍ରତିଶୋଧ ନେଲା ବିଜେପି:

୨୦୧୯ ବିଧାନସଭା ନିର୍ବାଚନ ବିଜେପି ଓ ଶିବସେନା ମିଶି ଲଢ଼ିଥିଲେ। ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ବହୁବାର କହିଥିଲେ ଯେ, ଫର୍ଣ୍ଣାଣ୍ଡିସଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ହେବ। ନିର୍ବାଚନ ଫଳାଫଳ ଆସିବା ପରେ ଶିବସେନା ଓ ବିଜେପି ଗଠବନ୍ଧନକୁ ବହୁ ଜନମତ ମଧ୍ୟ ମିଳିଥିଲା। ୧୦୫ଟି ଆସନ ଜିତି ବିଜେପି ସବୁଠୁ ବଡ଼ ଦଳ ହୋଇଥିବା ବେଳେ ୫୬ ସିଟ୍‌ ଜିତି ଶିବସେନା ଦ୍ବିତୀୟ ସ୍ଥାନରେ ରହିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଶିବସେନା ଓ ବିଜେପି ମଧ୍ୟରେ ଲଢ଼େଇ ଆରମ୍ଭ ହୋଇ ଯାଇଥିଲା। ଏପରିକି ମହାରାଷ୍ଟ୍ର ରାଜନୈତିକ ସ୍ଥିତି ଏପରି ହୋଇଥିଲା ଯେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପଡ଼ିଥିଲା। ଏସବୁ ମଧ୍ୟରେ ଉଦ୍ଦବ ଠାକରେଙ୍କ ସହିତ କଂଗ୍ରେସ ଓ ଏନସିପି ଆଲୋଚନା କରିଥିଲେ। ଆଉ ମହାବିକାଶ ଅଘାଡ଼ି କରି ବିଜେପିକୁ ଗାଦିଚ୍ୟୁତ କରିବା ଯୋଜନା ଶରଦ ପାଓ୍ବାର କରିଥିଲେ। ଆଉ ଯେଉଁଥିରେ ମଧ୍ୟ ଶରଦ ପାଓ୍ବାର ସଫଳ ହୋଇଥିଲେ। ହେଲେ ରାତି ରାତି ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ବିଷ୍ଟ ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ଶାସନ ହଟିବା ସହିତ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫର୍ଣ୍ଣାଡିସ୍‌ ଶପଥ ନେଇଥିଲେ ଆଉ ଏନସିପି ନେତା ଅଜିତ୍ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ସମୟରେ ଏନସିପିର ସମସ୍ତ ବିଧାୟକ ଅଜିତ ପାଓ୍ବାରଙ୍କୁ ଛାଡ଼ି ଶରଦ ପାଓ୍ବାରଙ୍କ ସମର୍ଥନ କରିଥିଲେ। ଯାହାରିଫଳରେ କିଛି ଘଣ୍ଟାର ସରକାର ଭାଙ୍ଗି ଯାଇଥିଲା। ଆଉ ଏହାପରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ସରକାର ଗଠନ ହୋଇଥିଲା।

ଏହାପରେ ବିଜେପି ଶିବସେନାକୁ ଭାଙ୍ଗି ଏହାର ପ୍ରତିଶୋଧ ନେଇଥିଲା। ଶିବସେନା ନେତା ଏକନାଥ ସିନ୍ଦେ ତାଙ୍କର ୪୦ ବିଧାୟକଙ୍କୁ ନେଇ ଶିବସେନାରୁ ଅଲଗା ହୋଇ ବିଜେପି ସହ ମିଶି ସରକାର କରିଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ରାଜ୍ୟସଭା ନିର୍ବାଚନରେ ବିଜେପି ଶିବସେନା ନେତା ସଞ୍ଚୟ ପାଓ୍ବାରଙ୍କୁ ହରାଇଥିଲା। ଯାହାପରେ ଉଦ୍ଧବ ଠାକରେଙ୍କ ସ୍ଥିତି ମହାରାଷ୍ଟ୍ରରେ ଖରାପ ହୋଇଥିଲା। ଆଉ ଅଜିତ ପାଓ୍ବାରଙ୍କ ମହାଗଠବନ୍ଧନରେ ସାମିଲ କରି ଏନିସିପି କରିଥିବା ରଣନୀତିର ପ୍ରତିଶୋଧ ନେଇଛି।

ବିଜେପିକୁ ମିଳିଲା କ’ଣ?

ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଡ୍ରାମା ଚାଲିଛି ସେଥିରୁ ବିଜେପିକୁ ମିଳିଲା କ’ଣ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ମହାରାଷ୍ଟ୍ରର ଦୁଇ ଭେଟେରାନ ରାଜନେତା ଶରଦ ପାଓ୍ବାର ଓ ଉଦ୍ଧବ ଠାକରେଙ୍କୁ ତାଙ୍କ ମଇଦାନରେ ହିଁ କାଉଣ୍ଟର କରିବାରେ ସଫଳ ହୋଇଛି ବିଜେପି। ଶିବସେନା ଓ ଏନସିପି ଭଳି ଦୁଇ ଶକ୍ତିଶାଳୀ ଦଳକୁ ଭାଙ୍ଗି ୨୦୧୯ର ପ୍ରତିଶୋଧ ନେଇଛି ବିଜେପି। ଏଥିସହିତ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନିଜ ଗଡ଼କୁ ମଜବୁତ କରିଛି ବିଜେପି।

Leave A Reply

Your email address will not be published.