ଛେନାପୋଡ଼, ରସଗୋଲା ଆମ ସଂସ୍କୃତି ନୁହେଁ: ବିଜେଡି ନେତା
"ଚିନିରୁ ତିଆରି 'ଆସ୍କା ଫର୍ଟି' ବଦଳରେ ଭୁଲରେ ଛେନାପୋଡ଼ ଆଉ ରସଗୋଲାକୁ ଦୋଷ ଦେଉଛନ୍ତି ରାଜନେତା।"

ଭୁବନେଶ୍ବର: ‘ରସଗୋଲା ଓ ଛେନାପୋଡ଼ ଖାଆନ୍ତୁନାହିଁ। ଯେଉଁଥିରେ ଚିନିପଡ଼ିଲା ତାହା ବିଷ। ଘରେ ଚିନି କି ଚିନି ମିଶିଥିବା ଜିନିଷ ପୂରାନ୍ତୁନାହିଁ। ଚିନି ତିଆରି ଜିନିଷକୁ ଯିଏ ସଂସ୍କୃତି କହିଲା ତାହାଠାରୁ ଦୂରେଇ ରହନ୍ତୁ।’ ଏକଥା କହିଛନ୍ତି ବିଜୁ ଜନତା ଦଳର ଜଣେ ଯୁବନେତା ସତ୍ୟଜିତ ମିଶ୍ର। ନିକଟରେ ଜଗନ୍ନାଥଙ୍କର ନୀଳାଦ୍ରିବିଜେ ଅବସରରେ ବିଶ୍ବବ୍ୟାପୀ ଓଡ଼ିଆ ଜାତି ରସଗୋଲା ଦିବସ ପାଳନ କରିଥିବାବେଳେ ପ୍ରକାରାନ୍ତରେ ବିଜେଡି ନେତା ରସଗୋଲା ଓ ଛେନାପୋଡ଼ ଆମର ସଂସ୍କୃତି ନୁହେଁ କହିବା ଓଡ଼ିଆଙ୍କ ଅସ୍ମିତା ପ୍ରତି ଉପହାସ ବୋଲି କହିଛନ୍ତି ଜଣାଶୁଣା ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା।

ଆଜି କୌଣସି ପ୍ରାସଙ୍ଗିକତା ନଥିବାବେଳେ ହଠାତ ଶ୍ରୀ ମିଶ୍ର ନିଜର ଫେସ୍ବୁକ୍ କାନ୍ଥରେ ଛେନାପୋଡ଼ ଓ ରସଗୋଲା ପ୍ରତି ବିଷ ଉଦ୍ଗାରିବା ସହ ଏହାକୁ ନଖାଇବା ଲାଗି ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ସେ ଲେଖିଛନ୍ତି ଲକ୍ଷ୍ମୀ ଠାକୁର ହୋଇଥିବାରୁ ସେ ଜଗନ୍ନାଥଙ୍କଠାରୁ ରସଗୋଲା ଖାଇଲେ ତାଙ୍କର କିଛି ହେବନି। କିନ୍ତୁ ମଣିଷ ଏସବୁ ନଖାଇବା ଉଚିତ ବୋଲି ସତ୍ୟଜିତ ପରାମର୍ଶ ଦେଇଛନ୍ତି। ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିଲେ, ‘ରସଗୋଲା ଆମ ସଂସ୍କୃତିର ଅଂଶ।’ ସତ୍ୟଜିତ ଆଜି ଲେଖିଛନ୍ତି ଏହା କାଳେ ଆମ ସଂସ୍କୃତି ନୁହଁ।
ରସଗୋଲା ଆମ ସଂସ୍କୃତିର ଅଂଶ। ଏହା ଆମ ଭାବ ଓ ଭଲପାଇବାର ଆଧାର। ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଜୟ ଜଗନ୍ନାଥ🙏 #RasagolaDibasa pic.twitter.com/Ngtlh2rWE3
— Naveen Patnaik (@Naveen_Odisha) July 1, 2023
ସୂଚନାଯୋଗ୍ୟ ଦୁଇବର୍ଷ ଧରି ନୟାଗଡ଼ ବିକାଶ ମଞ୍ଚ ଏପ୍ରିଲ ୧୧ରେ ଛେନାପୋଡ଼ ଦିବସ ପାଳନ କରିଆସୁଛି ଏବଂ ଛେନାପୋଡ଼କୁ ଜିଆଇ ମାନ୍ୟତା ପାଇଁ ଦାବି ରଖୁଛି। ଚଳିତ ବର୍ଷ ସରକାରୀ ପ୍ରଶାସନ, ରାଜନେତା ଓ ବୁଦ୍ଧିଜୀବୀ ଏ ଦାବି ସହ ସ୍ବର ମିଳାଇବା ସହ ନୟାଗଡ଼ ଜିଲ୍ଲା ପ୍ରଶାସନ ଜିଆଇ ମାନ୍ୟତା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି। ଛେନାପୋଡ଼ ଓଡ଼ିଶାର ଗୌରବ ବୋଲି ଆହ୍ବାନ ଦେଇ ଶ୍ରୀ ପଣ୍ଡା ଏକ ‘ଛେନାପୋଡ଼ ସଂଗୀତ’ ରଚନା କରିଛନ୍ତି ଯାହା ବେଶ୍ ପ୍ରସିଦ୍ଧ ହୋଇଛି ଏବଂ ଛେନାପୋଡ଼କୁ ନେଇ ମିଠା ଉତ୍ସାହ ତିଆରି କରିଛି। ତେବେ ଛେନାପୋଡ଼ ମାଟିରୁ ଉତ୍ପାଦିତ ହେଉନଥିବାରୁ ଏହା ମାଟିର ଗୌରବ କିପରି ହେଲା ବୋଲି ତାତ୍ସଲ୍ୟ କରିଛନ୍ତି ସତ୍ୟଜିତ। ସତ୍ୟଜିତ ଯେଉଁ ମଣିଷମାନଙ୍କୁ ନେଇ ଗର୍ବ କରନ୍ତି ସେମାନେ ମଣିଷଠାରୁ ଜନ୍ମ ହୋଇଛନ୍ତି ନା ମାଟିରୁ ଜନ୍ମ ହୋଇଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶୁଭ୍ରାଂଶୁ ପଣ୍ଡା।
ନଅ ଦିନର ଲୀଳା ସାରି ମହାପ୍ରଭୁ ଆଜି ଶ୍ରୀମନ୍ଦିରକୁ ବାହୁଡୁଛନ୍ତି। ଅଭିମାନ କରିଥିବା ମା' ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଅନନ୍ୟ ନିଦର୍ଶନ। ଏହି ଶୁଭ ଅବସରରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି। ଜୟ ଜଗନ୍ନାଥ🙏 #RasagolaDibasa pic.twitter.com/wWlg5meWrV
— Naveen Patnaik (@Naveen_Odisha) July 1, 2023
ସେହିପରି ରସଗୋଲା ପାଇଁ ପଡ଼ୋଶୀ ରାଜ୍ୟ ସହ ଆମ ରାଜ୍ୟର ବିବାଦ କଥା ସମସ୍ତେ ଜାଣନ୍ତି। ବୁଦ୍ଧିଜୀବୀଙ୍କ ଉତ୍ସାହ ଓ ତଥ୍ୟପ୍ରଦାନ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ଆଗ୍ରହ ଫଳରେ ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାବେଳେ ଶୁଭ୍ରାଂଶୁ ପଣ୍ଡାଙ୍କ ଲିଖିତ ଏକ ‘ରସଗୋଲା ସଂଗୀତ’ ମଧ୍ୟ ଗତ ରସଗୋଲା ଦିବସରେ ମୁକ୍ତିଲାଭ କରିଛି। ନିଜେ ମୁଖ୍ୟମନ୍ତ୍ରୀ ଓ ବିଜେଡିର ମାଳମାଳ ନେତା ରସଗୋଲା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରସଗୋଲା ପାଇଁ କ୍ଲଷ୍ଟର ନିର୍ମାଣ, ରସଗୋଲା ଉତ୍ପାଦନ ଓ ବିକ୍ରିକୁ ଗୁରୁତ୍ବ ଦେଉଥିବାବେଳେ ତାଙ୍କରି ଅନୁଗାମୀ ବୋଲାଉଥିବା ସତ୍ୟଜିତ ନିଜର ପୋଷ୍ଟ ମାଧ୍ୟମରେ ଖୋଲାଖୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଗ୍ରହରେ ଯେଉଁ ରସଗୋଲା ଉପହାର ଦେଉଛନ୍ତି ତାହାକୁ ବିଷ ବୋଲି କହୁଛନ୍ତି ସତ୍ୟଜିତ। ନିମନ୍ତ୍ରଣ ଓ ପାନ୍ଥନିବାସର ରେସ୍ତାରାଁ ମାଧ୍ୟମରେ ରସଗୋଲା ଓ ଛେନାପୋଡ଼ର ବିକ୍ରିକୁ ପ୍ରଚାର ଓ ପ୍ରୋତ୍ସାହନ ମିଳୁଥିବାବେଳେ ବିଜୁ ଜନତା ଦଳ କାହିଁକି ଏ ଦୁଇ ମିଠା ପଛରେ ପଡ଼ିଛି ତାହା ବୁଝା ପଡ଼ୁନାହିଁ।
#DidYouKnow on Niladri Bije while Lord Jagannath returns to Srimandir, he offers Rasagola to appease Goddess Lakshmi as she was angry on being left behind during #RathYatra
This #RasagolaDibasa let's celebrate love & sweetness pic.twitter.com/MAvJRml8fR
— OTDC (@otdcltd) July 1, 2023
କେଉଁ ଅସୂୟାର ବଶବର୍ତୀ ହୋଇ ବନ୍ଧୁ ସତ୍ୟଜିତ ରସଗୋଲା, ଛେନାପୋଡ଼କୁ ଏଭଳି ଅଦିନିଆ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶୁଭ୍ରାଂଶୁ ପଣ୍ଡା। ଓଡ଼ିଶାରେ ଏକାଧିକ ଚିନିଶିଳ୍ପ ବନ୍ଦ ହେବାକୁ ବସିଥିବାବେଳେ ନୟାଗଡ଼ରେ ବନ୍ଦ ହୋଇଥିବା ଚିନିଶିଳ୍ପ ପୁଣି ଚାଲୁ କରିବାକୁ ନୟାଗଡ଼ ବିକାଶ ମଞ୍ଚ ଓ ସ୍ଥାନୀୟ ଚାଷୀ ଦାବି କରି ଆସୁଛନ୍ତି। ଚିନିଶିଳ୍ପ ନହେଉ ବୋଲି ଚାହୁଥିବା ନେତାଙ୍କ ପ୍ରରୋଚନାରେ ସତ୍ୟଜିତ ଏପରି କରୁଛନ୍ତି କି ବୋଲି ଶୁଭ୍ରାଂଶୁ ସନ୍ଦେହ ପ୍ରକାଶ କରିଛନ୍ତି। ଆସ୍କା ଚିନି ଶିଳ୍ପରେ ଚିନି ଦୋରୁଅ ମଳରୁ ‘ଆସ୍କା ଫର୍ଟି’ ଭଳି ମଦ ତିଆରି ହୁଏ। ସତ୍ୟଜିତ ଛେନାପୋଡ଼ ଓ ରସଗୋଲା ପଛରେ ନଲାଗି ‘ଆସ୍କା ଫର୍ଟି’ ନପିଇବା ଲାଗି ଉପଦେଶ ଦେଇଥିଲେ ଗ୍ରହଣୀୟ ହୋଇଥାଆନ୍ତା ବୋଲି ଶୁଭ୍ରାଂଶୁ ପରାମର୍ଶ ଦେଇଛନ୍ତି। ରସଗୋଲା ଓ ଛେନାପୋଡ଼ ଖାଇଲେ ମଧୁମେହ ହେବ ଭଳି ଡାକ୍ତରୀ ପରାମର୍ଶ ଚିକିତ୍ସକଙ୍କ ମୁହଁରେ ଶୋଭା ପାଇଥାଆନ୍ତା, ନେତାଙ୍କ ମୁହଁରେ ନୁହେଁ ବୋଲି ଶୁଭ୍ରାଂଶୁ କହିଛନ୍ତି। ଛେନାପୋଡ଼ ଓ ରସଗୋଲା କାରିଗରମାନେ ଉଚିତ ସମୟରେ ସତ୍ୟଜିତଙ୍କ ଗମାତର ଉତ୍ତର ରଖିବେ ବୋଲି ସେ ଚେତାଇ ଦେଇଛନ୍ତି।


