Odisha Link
Bridging the Missing Links in Odisha

ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ବଡ଼ ଘାଇ: ଚିନ୍ତାରେ ଚାଷୀ, ସ୍ଥାନୀୟ ଲୋକେ ଭୟଭୀତ

ପ୍ରବଳ ବର୍ଷା ସମୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ଼ ବର୍ଷା ଶନିବାର ଦିନ ରେକର୍ଡ ହୋଇଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି। ପ୍ରବଳ ବର୍ଷା ସମୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ବଡ଼ ଘାଇ ସୃଷ୍ଟି ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ଦଳେଇଘାଇ ନିକଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ଗାଁ ରାସ୍ତା ଓ ଚାଷ ଜମିରେ ପାଣି ଉବୁଟୁବୁ ହେଉଛି। ଅନ୍ୟପଟେ ତରିକୁନ୍ଦ ନିକଟରେ ଘାଇ ହୋଇଥିବା ଯୋଗୁଁ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ୨ଟି ସ୍ଥାନରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିବାବେଳେ ତଳି ରୁଆ ଚାଲିଥିବାରୁ ଚାଷୀ ଚିନ୍ତାରେ ପଡିଯାଇଛି।

ଅନ୍ୟପଟେ, ଗତକାଲିର ଘୁର୍ଣ୍ଣିବଳୟ ଆଜି ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ରାଜ୍ୟରେ ତୀବ୍ର ବୃଷ୍ଟିପାତ ହେତୁ ତାତିରୁ ତ୍ରାହି ମିଳିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଓ ପ୍ରଭାବ ବଢ଼ିବ। ଏଣୁ ତୀବ୍ର ବୃଷ୍ଟିପାତଜନିତ ବିଭିନ୍ନ ସମସ୍ୟା ସହ ଲଢ଼ିବାକୁ ସତର୍କ ରହିବା ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.