Odisha Link
Bridging the Missing Links in Odisha

ତପସ୍ୟା ଫାଉଣ୍ଡେସନ୍ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ 

ଭୁବନେଶ୍ଵର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷିୟାନ ସାହିତ୍ୟିକ ଦେବାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ଵତ ପୁରସ୍କାର-୨୦୨୨, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ଯୁଗ୍ମ ଭାବେ ‘ ତପସ୍ୟା ସୃଜନ ପୁରସ୍କାର-୨୦୨୨’, ଏବଂ ତରୁଣ ଲେଖକ ଯୀଶୁକ୍ଳିଷ୍ଠ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨ ’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହା ବ୍ୟତୀତ ଏଥର ନୂତନ ଭାବେ ଏକ ଫେଲୋସିପ୍ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟ ଜୁଲି ମିଶ୍ର।

ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ସେମାନଙ୍କ ପୁସ୍ତକ “ଗାଁ ଛାଡ଼ିବୁ ନାହିଁ” ପାଇଁ ଯୁଗ୍ମଭାବେ ପୁରସ୍କୃତ କରାଯିବା ବେଳେ ଯୀଶୁକ୍ରିଷ୍ଣଙ୍କୁ ପୁସ୍ତକ ପ୍ରକାଶିତ ହୋଇନଥିବା ୩୦ ବର୍ଷରୁ କମ୍ ବୟସର ଲେଖକ ବର୍ଗରେ ପୁରସ୍କୃତ କରାଯିବ। ଖୁବଶୀଘ୍ର ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବଦ୍ଧିତ କରାଯିବ। ଏହି ସାହିତ୍ୟିକମାନଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ। ସେହିପରି ଏବର୍ଷଠାରୁ ନୂତନ ଭାବେ ତପସ୍ୟା ଫାଉଣ୍ଡେସନ ଫେଲୋସିପ୍ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ଫେଲୋସିପ୍ ପ୍ରଦାନ କରାଯିବ। ‘ଭାରତୀୟ ଭକ୍ତି କବିତା’ ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ । ଫେଲୋସିପ୍ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଫାଉଣ୍ଡେସନ ଅର୍ଥରେ ଏହି ପ୍ରକଳ୍ପର ପୁସ୍ତକ ପ୍ରକାଶ କରାଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହିତ ପୁରସ୍କୃତ ହେବାକୁ ଥିବା ଲେଖକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତନ କରାଯାଇଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ନିଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିବା ବେଳେ ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଡିଲେଶ୍ଵର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଦିଆଯାଇଥିଲା। ଅନ୍ୟପକ୍ଷରେ ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୨୧ ମସିହା ପାଇଁ ବର୍ଷଷ୍ଠ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ଵତ ପୁରସ୍କାର’, ଯୁବ ସାହିତ୍ୟିକ ତଥା ସାମ୍ବାଦିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ତରୁଣ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.