Odisha Link
Bridging the Missing Links in Odisha

ବିପର୍ଯ୍ୟୟ ମୁକାବିଲାରେ ମାର୍ଗଦର୍ଶନ ସାଜିଛି ଓଡ଼ିଶା, ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଶାହ

ଓଏଲ୍‌ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସେବା ଭବନର କନଭେନସନ୍ ସେଂଟରରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ ଅବସରରେ ଯୋଗଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ କରାଯାଇଛି।

ଏହି ଅବସରରେ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଦେଶରେ ନକ୍ସଲ ଗତିବିଧି କମିଛି। ଓଡ଼ିଶା ସରକାରକୁ ଏଥିପାଇଁ ଧନ୍ୟବାଦ। ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି। ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବହୁ ନୂଆ ପନ୍ଥା ଆପଣାଇଛି। ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡ଼ିଶା। କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ବି ପରାସ୍ତ ହେଉଛି।

ସୂଚନା ଅନୁସାରେ, ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ। ମଧ୍ୟରାତ୍ରିରେ ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଂଚିଥିଲେ। ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ଶାହ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ମୋହନ ମାଝୀ, ଗୋଲକ ମହାପାତ୍ର ପ୍ରମୁଖ ବହୁ ନେତା ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ପାରମ୍ପରିକ ନାଚ ଗୀତ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ବିଜେପି ନେତା ମଧ୍ୟ ଶାହଙ୍କ ଗସ୍ତ ପାଇଁ ବେଶ୍ ଉତ୍ସାହିତ। ହାତରେ ପ୍ଲାକାର୍ଡ ଧରି ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ।

Leave A Reply

Your email address will not be published.