Odisha Link
Bridging the Missing Links in Odisha

ମୋଦିଙ୍କ ଭବିଷ୍ୟବାଣୀ, ୨୦୨୮ରେ ପୁଣି ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ

ଓଏଲ୍‌ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ। ବିରୋଧୀଙ୍କ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ନିଜର ବୟାନ ରଖିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ମୋଦି। ସେ ତାଙ୍କ ବିବୃତି ଆରମ୍ଭରୁ ବିରୋଧୀଙ୍କୁ ଶାଣିତ ଟାର୍ଗେଟ କରିବା ସହିତ କ୍ରିକେଟ କମେଣ୍ଟ୍ରିଂ ଜରିଆରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ମୋଦି। ଏଥିସହିତ ଭବିଷ୍ୟବାଣୀ କରିଛନ୍ତି ମୋଦି।

ନରେନ୍ଦ୍ର ମୋଦି କହିଛନ୍ତି, ଆଜି ବିରୋଧୀ ଯେଉଁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ତାହା ଆମ ପାଇଁ ଶୁଭ ହୋଇଛି। ୨୦୧୮ରେ ସେମାନେ ଆଣିଥିଲେ। ୨୦୧୯ ଫଳାଫଳ କ’ଣ ହେଲା, ସେକଥା ସମସ୍ତେ ଜାଣିଛନ୍ତି। ୨୦୨୩ରେ ପୁଣି ଅନାସ୍ଥା ଆସିଛି। ୨୦୨୪ରେ ଏନଡିଏ ରେକର୍ଡ ବିଜୟ ସହ ପୁଣି କ୍ଷମତାକୁ ଆସିବ ବୋଲି ମୋଦି କହିଛନ୍ତି। ଏଥିସହ ବିରୋଧୀ ଦଳଗୁଡ଼ିକ ପୁଣି ୨୦୨୮ରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିରୋଧୀଦଳ ବଢ଼ିଆ ଫିଲ୍ଡିଂ କରୁଛନ୍ତି ହେଲେ ଛକା ଓ ଚୌକା ଏନଡିଏ ମାରୁଛି । ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଉପରେ ନୋ ବଲ ନୋ ବଲ କରୁଛନ୍ତି, ହେଲେ ସରକାରଙ୍କ ତରଫରୁ ଶତକ ମରା ଚାଲିଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ପ୍ରସ୍ତୁତ ହୋଇ ସଂସଦକୁ ଆସିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି କି ସମାନ କଥା ମୁଁ ୨୦୧୮ ରେ କହିଥିଲି ହେଲେ ୫ବର୍ଷ ବିତି ଯାଇଥିଲେ ବି ବିରୋଧୀ ସଂସଦକୁ ପ୍ରସ୍ତୁତ ହୋଇ ଆସିପାରିଲେ ନାହିଁ।

୨୦୨୪ରେ ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ। ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ। ଦେଶବାସୀ ଯେଉଁ ବିଶ୍ୱାସରେ ଏମାନଙ୍କୁ ପଠାଇଛନ୍ତି। ତାଙ୍କ ପ୍ରତି ବି ବିଶ୍ୱାସଘାତ। ଆପଣଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି। ଯୁବବର୍ଗଙ୍କୁ ରୋଜଗାର ଚିନ୍ତା ନୁହେଁ। ଏମାନଙ୍କୁ ରାଜନୀତି ଚିନ୍ତା ଘାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଇଏନ୍‌ଡିଆଇଏ ମେଣ୍ଟକୁ ନେଇ ମୋଦି କହିଛନ୍ତି ଯେ, ବିରୋଧୀ ମେଣ୍ଟର କିଛି ଦଳର ଆଚରଣ ଏହା ପ୍ରମାଣ କରିଛି କି ସେମାନଙ୍କ ପାଇଁ ଦେଶ ନୁହେଁ ବରଂ ଦଳ ବଡ। ସେହି ଦଳଗୁଡିକୁ ଗରିବର ଭୋକ ନୁହେଁ ବରଂ କ୍ଷମତାର ଭୋକ ଚିନ୍ତାରେ ପକାଇଛି। ସେମାନଙ୍କୁ ଦେଶର ଯୁବକଙ୍କ ଭବିଷ୍ୟତ ନୁହେଁ ବରଂ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତା ଘାରିଛି।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁ ନନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଏବେ କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି। ବାରମ୍ବାର ଲଞ୍ଚ କରାଯାଉଛି। କିନ୍ତୁ କିଛି ସୁଫଳ ମିଳୁନି। ଦେଶର ସାମର୍ଥ୍ୟ ଓ ପରାକ୍ରମ ଉପରେ ବିରୋଧୀଙ୍କ ବିଶ୍ୱାସ ନାହିଁ। କଂଗ୍ରେସକୁ କଳ୍ପନାର ଦାରିଦ୍ର୍ୟ ଗ୍ରାସିଛି। କଂଗ୍ରେସର ନା ନୀତି ଅଛି ନା ନିୟତ ଅଛି? ଦୃଢ଼ ନୀତି ଓ କଠୋର ପରିଶ୍ରମ ଯୋଗୁ ଆଜି ଦେଶ ଏତେ ଉଚ୍ଚକୁ ଉଠିଛି।

Leave A Reply

Your email address will not be published.