ଇତିହାସ ରଚିଲା ଇସ୍ରୋ, ପ୍ରଧାନମନ୍ତ୍ରୀ କହିଲେ-ଏ କ୍ଷଣ ଅବିସ୍ମରଣୀୟ

ଓଏଲ୍ ବ୍ୟୁରୋ: ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।
ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ନରମ ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି।ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ।
ଇସ୍ରୋର ସଫଳତା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଏ କ୍ଷଣ ଅବିସ୍ମରଣୀୟ, ଆଜି ଭାରତ ନୂଆ ଇତିହାସ ରଚିଲା; ସାରା ଭାରତରେ ଉତ୍ସବର ମାହୋଲ, ସାରା ଦେଶବାସୀଙ୍କ ସହ ମୁଁ ବି ଆଜି ଉତ୍ସବରେ ସାମିଲ, ଏ ଅଦ୍ଭୁଦ କ୍ଷଣ ପାଇଁ ସାରା ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ।
ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଇସ୍ରୋ ଆଶା କରୁଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ସୂଚନା ପଠାଇବ। ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ।