Odisha Link
Bridging the Missing Links in Odisha

ଜି-୨୦ ସମ୍ମିଳନୀ: ଶୋଭାପାଉଛି କୋଣାର୍କ ମନ୍ଦିର ଚକ୍ର; ଯେଉଁଠି ମୋଦି ବିଶ୍ବନେତାଙ୍କୁ କରୁଛନ୍ତି ସ୍ବାଗତ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ। ଭାରତର ରାଜଧାନୀ ଦିଲ୍ଲୀରେ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ରାଷ୍ଟ୍ରମୁଖ୍ୟମାନେ ଆସି ପହଁଞ୍ଚିସାରିଛନ୍ତି। ବର୍ତ୍ତମାନ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏକାଠି ହେଉଛନ୍ତି ବିଶ୍ବର ବଡ଼ ବଡ଼ ନେତା। ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି। ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ସମ୍ମିଳନୀ ଆରମ୍ଭରୁ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲକମ୍ ସେରିମନି ଆରମ୍ଭ ହୋଇଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରୁଛନ୍ତି। ସବୁଠୁ ବଡ଼ କଥା ହେଲା ମୋଦି ଯେଉଁ ସ୍ଥାନରେ ବିଶ୍ବ ନେତାଙ୍କୁ ସ୍ବାଗତ କରୁଛନ୍ତି ସେହି ସ୍ଥାନରେ ଓଡ଼ିଶାରେ ଥିବା ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ର ଶୋଭା ପାଉଛି। ଏହାପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରୁଛନ୍ତି। ଏହା ପରେ କିଛି ସମୟର ବିରତି ରହିବ। ଏହି ସମୟରେ ବିଭିନ୍ନ ଶୀର୍ଷ ନେତାମାନେ ଦ୍ୱିପାକ୍ଷିକ ବୈଠକ କରିପାରିବେ।

ଭାରତ ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ।ଏହା ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ କିଛି ସମୟ ମିଳିବ ଦ୍ୱିପାକ୍ଷିକ ବୈଠକ ଲାଗି। ଏହା ପରେ ରାତି ୮ଟାରେ ରାତ୍ରୀ ଭୋଜନ ରହିଛି।

Leave A Reply

Your email address will not be published.