Odisha Link
Bridging the Missing Links in Odisha

ରାଜ୍ୟରେ ଗଡ଼ିବ ‘ଲକ୍ଷ୍ମୀ ଏକ୍ସପ୍ରେସ୍’, ଉଠିବ ୩୫ ଟୋଲ୍‌ ଗେଟ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି।ରାଜ୍ୟ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମୋଟ ୩୫ଟି ଟୋଲଗେଟକୁ ଉଚ୍ଛେଦ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି।ଏହି ଟୋଲ ଗେଟଗୁଡ଼ିକ ଏବେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ହେଉଛି। ସେହିପରି ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ‘ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ସେହିପରି ରାଜ୍ୟ ସରକାର ନୂଆ ଯୋଜନା ‘ଲୋକେସନ୍‌ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍‌ ଇନିସିଏଟିଭ୍‌’(ଲକ୍ଷ୍ମୀ) ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ୍‌ ମୁଖ୍ୟାଳୟ, ଜିଲ୍ଲା ମୁଖ୍ୟାଳୟ, ରାଜ୍ୟର ପ୍ରମୁଖ ସହର ଓ ଅର୍ଥନୈତିକ ପେଣ୍ଠସ୍ଥଳକୁ ବସ୍‌ ଯୋଗେ ସଂଯୋଗ କରାଯିବ। ଏଥି‌ ପାଇଁ ସରକାର ହଜାରେ ନୂଆ ବସ୍ କିଣିବେ। ତିନି ବର୍ଷରେ ଏ ବାବଦକୁ ଖର୍ଚ୍ଚ ହେବ ୩,୧୭୮ କୋଟି ଟଙ୍କା। ‘ଲକ୍ଷ୍ମୀ ବସ୍‌’ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଚଳାଚଳ କରିବ ଓ ଏହାର ଅବଧି ୧୦ ବର୍ଷ ରହିବ। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି।ଏହି ପ୍ରସ୍ତାବ ସହ ମୋଟ୍‌ ୧୯ଟି ପ୍ରସ୍ତାବ‌ କ୍ୟାବିନେଟ୍‌ରେ ପାରିତ ହୋଇଛି।

ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ୨୦୨୩-୨୪ ଖରିଫ ବିପଣନ ବର୍ଷରେ ମୋଟ ୫୪ଲକ୍ଷ ମେଟ୍ରିକ ଟନ୍ ଚାଉଳ(୭୯ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହ କରାଯିବ।ଖରିଫ ବର୍ଷ-୨୦୨୨-୨୩ରେ ମୋଟ ୭୯.୧୬ଲକ୍ଷ ମେଟ୍ରିକ ଟନ୍ ଧାନ(୫୩.୫୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ) ସଂଗ୍ରହ କରାଯାଇଥିଲା।ଚାଷୀଙ୍କ ବାୟୋମେଟ୍ରିକ ଚିହ୍ନଟୀକରଣ ବ୍ୟବସ୍ଥା କରାଯିବ।

ସେହିପରି ଭୁବନେଶ୍ୱରସ୍ଥିତ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସ୍ୱତନ୍ତ୍ର ଆଇନ,ବ୍ରହ୍ମପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଏନଆଇଏସଟି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଓଡ଼ିଶା ଭୂ-ସଂସ୍କାର ଆଇନ-୧୯୬୦ର ଧାରା -୮ର ଉପଧାରା-୨ ଅନୁସାରେ ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷଜମିକୁ କୃଷି ବ୍ୟତୀତ ଯେକୌଣସି ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ ଦେୟ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.