ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତି; କେବଳ ବର୍ଷାଙ୍କ ପାଇଁ କଲେ ଭିଡିଓ ସେୟାର

ଓଏଲ୍ ବ୍ୟୁରୋ: ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଖୁବ ଜଣାଶୁଣା ଅଭିନେତା। ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନ ପୁଣି ଚର୍ଚ୍ଚାର ପରିସରକୁ ଆସିଛି। କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଜଗତର ବେଶ ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ କହୁଛନ୍ତି, ମୋ ବାପାଙ୍କ ଦେହ ବହୁତ ଅସୁସ୍ଥ। ଆମେ ରାତିରେ ଶୋଇ ପାରୁନୁ। ଭଲ ବନ୍ଧୁ ହିସାବରେ ଛାଡ଼ପତ୍ର ସ୍ୱୀକାର କରି ନେବାକୁ ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ନିଜର ଟ୍ୱିଟ/ଏକ୍ସରେ କିଛି ଏପରି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଅନୁଭବ ମହାନ୍ତି ନିଜର ଟ୍ୱିଟ/ଏକ୍ସରେ ଲେଖିଥିଲେ, ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ। ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି। ବିବାହ ବିଚ୍ଛେଦ ପରେ କ’ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ କି ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେବା ମୁଁ ଚାହେଁନି। କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ ବୋଲି ଅନୁଭବ ସୋସିଆଲ ମିଡିଆରେ ଲେଖିଥିଲେ।
ଏହାସହ ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଉଲ୍ଲେଖ କରିବା ସହ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ କରିଥିଲେ। ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି। ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି। ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ। କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।