Odisha Link
Bridging the Missing Links in Odisha

ବିଗତ ୧୨ ବର୍ଷରେ ମାତ୍ର ୩ ଥର ପାଳିଛନ୍ତି ଜନ୍ମଦିନ

ଓଏଲ୍‌ ବ୍ୟୁରୋ: ନବ ଓଡ଼ିଶାର ବିକାଶର ବିନ୍ଧାଣି ସେ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା ବିରୋଧୀଙ୍କୁ କରିଛି ଘାଇଲା। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ଆଉ ଏହା ପରଠାରୁ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ଭାରତରେ ଅପରାଜେୟ ନେତା ଭାବେ ନବୀନ ପଟ୍ଟନାୟକ ଖୁବ ପରିଚିତ। ଓଡ଼ିଶାକୁ ସମୃଦ୍ଧ ଓ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଙ୍କି ଚାଲିଛନ୍ତି ବିକାଶର ନକ୍ସା। ୨୦୦୦, ୨୦୦୪, ୨୦୦୯, ୨୦୧୪ ପରେ ୨୦୧୯ ମସିହାର ମଧ୍ୟ ରାଜନୀତି ପଣ୍ଡିତଙ୍କ ବୁଦ୍ଧି ହଜାଇଦେଇଥିଲା ନିର୍ବାଚନ ଫଳାଫଳ। ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ। ବିରୋଧୀଙ୍କୁ ପୁଣିଥରେ ନିର୍ବାଚନରେ ମାତ୍ ଦେଇ, ବିଜେଡିକୁ ବହୁମତ ଦେଇଥିଲେ ନବୀନ ପଟ୍ଟନାୟକ।

ଗତଥର ଭଳି ଏଥର ମଧ୍ୟ ନବୀନ ପଟ୍ଟନାୟକ ଜନ୍ମଦିନ ପାଳନ କରିବାକୁ ମନା କରିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। କାରଣରେ କୁହାଯାଇଛି ଯେ ଗତମାସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ଭଉଣୀ ଗୀତା ମେହେଟାଙ୍କ ପରଲୋକ ହୋଇଥିଲା। ଏଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ସୂଚନାଥାଉକି, ଅକ୍ଟୋବର ୧୬, ୧୯୪୬ ମସିହାରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦୀର୍ଘ ୨୩ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ନେତା, ମନ୍ତ୍ରୀଙ୍କ ଜନ୍ମଦିନ ପାଳନର ତରିକା ଯେବେ ଉଲ୍ଲେଖନୀୟ ଢଙ୍ଗରେ ପାଳନ ହେଉଥିବାର ଅନେକ ନଜିର ରହିଛି, ସେ ସମୟରେ ନିଜର ନିରାଡମ୍ବର ଜୀବନଶୈଳୀ ପାଇଁ ବେଶ୍ ପରିଚିତ ଥିବା ନବୀନ ଗତ ୧୨ବର୍ଷରେ ମାତ୍ର ତିନି ଥର ତାଙ୍କର ଜନ୍ମଦିନ ପାଳନ କରିଥିବା ଜଣାପଡ଼ିଛି।

କେବଳ ୨୦୧୨, ୨୦୧୫ ଓ ୨୦୧୭ରେ ନବୀନ ନିଜ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳିଛନ୍ତି। ୨୦୧୭ ମସିହାରେ ଶେଷଥର ପାଇଁ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ନବୀନ ଜନ୍ମଦିନ ପାଳନ କରିଥିଲେ। ଏହାପରଠାରୁ ସେ ସର୍ବସାଧାରଣରେ ଜନ୍ମଦିନ ପାଳନ କରିନାହାନ୍ତି।

୨୦୧୧ରେ ରାଜ୍ୟରେ ହୋଇଥିବା ବନ୍ୟା, ୨୦୧୩ରେ ବାତ୍ୟା ଫାଇଲିନ୍, ୨୦୧୪ରେ ବାତ୍ୟା ହୁଡହୁଡ, ୨୦୧୬ରେ ଉରିରେ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ପାଇଁ ନବୀନ ତାଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିଥିଲେ। ପରେ ୨୦୧୮ ମସିହାରେ ବାତ୍ୟା ତିତ୍‌ଲି, ୨୦୧୯ ମସିହାରେ ବାତ୍ୟା ‘ଫନି’,୨୦୨୦ ଓ ୨୦୨୧ରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବାରୁ ଶୁଭେଚ୍ଛୁମାନେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇପାରିନଥିଲେ।

୧୯୯୯ ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ କ୍ଷମତାକୁ ଆସିଥିବା ନବୀନ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପରିବର୍ତ୍ତନ ଆଣି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ଗୌବବ ବଢ଼ାଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସଶକ୍ତ ହେବା, ଓଡ଼ିଶାକୁ ବିଶ୍ବ କ୍ରୀଡ଼ା ହବ୍‌ରେ ପରିଣତ କରିବାର ଶ୍ରେୟ ନବୀନଙ୍କ ପାଖକୁ ଯିବ ନିଶ୍ଚୟ।

Leave A Reply

Your email address will not be published.