ଆଜି ମହାଷଷ୍ଠୀ: ମା’ଙ୍କ ଆରାଧନା ପାଇଁ ଝଲସୁଛି ପୂଜା ମଣ୍ଡପ

ଓଏଲ୍ ବ୍ୟୁରୋ: ଝଲସୁଛି ସହର। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠରେ ଅବତରଣ କରିବେ ମା’ ଜଗଜ୍ଜନନୀ। ପାର୍ବଣ ମହକରେ ପୁରପଲ୍ଲୀ ମହକୁଥିବାବେଳେ ପୂଜାମଣ୍ଡପଗୁଡିକ ମା’ଙ୍କ ଆରାଧନା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି। ଆଜି ଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା। ମହାଷଷ୍ଠୀ ଅବସରରେ ମା’ଙ୍କ ବେଲ୍ବ୍ବବରଣ କରାଯିବା ପରେ ସପ୍ତମୀଠାରୁ ମା’ଙ୍କ ଦର୍ଶନ ଆରମ୍ଭ ହେବ।
ଷଷ୍ଠୀପୂଜାରେ ମା’ଙ୍କ ବିଲ୍ବାଧିବାସ ଅନୁଷ୍ଠିତ ହେବାପରେ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ଷଷ୍ଠାଦି କର୍ମ ସମ୍ପନ୍ନ ହେବ। ଅଧିକାଂଶ ମଣ୍ଡପରେ ଶୁକ୍ରବାରଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବାବେଳେ ଅଧିକ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରମୁଖ ମଣ୍ଡପଗୁଡିକରେ ଟ୍ରାଫିକ ପରିଚାଳନା ଓ ଭିଡ଼ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶାରଦୀୟ ପୂଜା ପାଇଁ କଟକ ସହରର ମେଢ଼ ଓ ମୂର୍ତ୍ତି ପ୍ରସିଦ୍ଧି ଲାଭ କରିଥିବାବେଳେ ଆକର୍ଷଣୀୟ ତୋରଣ ପାଇଁ ବାଜି ମାରିଥାଏ ଭୁବନେଶ୍ୱର। ତୋରଣକୁ ସର୍ବୋତ୍କୃଷ୍ଠ କରିବା ପାଇଁ ଗତ କିଛି ବର୍ଷ ହେବ ରାଜଧାନୀର ପୂଜାମଣ୍ଡପଗୁଡିକ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେଉଛି।
ଏଲଇଡି ଓ ଡିଜିଟାଲ ଲାଇଟ୍ରେ ଝଲସୁଛି ରାଜଧାନୀ। ନୟାପଲ୍ଲୀ, ଶହୀଦନଗର, ଝାରପଡ଼ା, ଷ୍ଟେସନ ବଜାର, ବମିଖାଲ, ରସୁଲଗଡ଼, ୟୁନିଟ-୪, ୟୁନିଟ-୮, ୟୁନିଟ୍-୧ ଭଳି ପ୍ରମୁଖ ପୂଜାମଣ୍ଡପ ଉପରେ ସମସ୍ତଙ୍କ ନଜର ରହିଛି।ଏହାବ୍ୟତୀତ ଷ୍ଟେସନ ବଜାର, ଭିଏସ୍ଏସ୍ ନଗର, ବମିଖାଲ ଭଳି ପୂଜା ମଣ୍ଡପର ମଧ୍ୟ ଏଥର ଆକର୍ଷଣ ରହିଛି।