Odisha Link
Bridging the Missing Links in Odisha

କତାରରେ ୮ ଭାରତୀୟଙ୍କୁ ଫାଶୀ ଦଣ୍ଡ ଘଟଣା: ପରିବାରବର୍ଗଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଭାରତୀୟ ବିଦେଶ ମନ୍ତ୍ରଣାଳୟକୁ ଚକିତ କଲା ଭଳି ଖବର କତାରରୁ ଆସିଥିଲା। କତାର ଜେଲରେ ବନ୍ଦୀ ରହିଥିବା ୮ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ କତାର ଫାଶୀ ଦଣ୍ଡ ଘୋଷଣା କରିଛି। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କତାର ଜେଲରେ ଥିବା ୮ ଭାରତୀୟଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି। ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ସରକାର, ସମସ୍ତ ୮ଜଣଙ୍କ ମୁକ୍ତି ନେଇ ସରକାର ସମ୍ପୂର୍ଣ୍ଣ ଉଦ୍ୟମ କରୁଥିବା ପରିବାରବର୍ଗଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଶ୍ବାସନା ଦେଇଛନ୍ତି।

ଅନ୍ୟପଟେ ଏହି ମାମଲାକୁ ଉଚ୍ଚସ୍ତରରେ ଉଠାଇବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୌସେନାର ଏହି ୮ ଜଣ ପୂର୍ବତନ ଅଧିକାରୀଙ୍କୁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ କତାରରେ ଗିରଫ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଗିରଫଦାରୀ ହୋଇଥିଲା। ସେବେଠାରୁ ସେମାନେ କତାର ଜେଲରେ ଅଛନ୍ତି। ଇସ୍ରାଏଲ ପାଇଁ ଏମାନେ କତାରରେ ଗୁପ୍ତଚର ଭାବେ କାମ କରୁଥିବା ଅଭିଯୋଗ ରହିଛି।

ସୂଚନାଥାଉକି, ଏହି ୮ ଭାରତୀୟଙ୍କ ଜାମିନ ଆବେଦନ ଅନେକ ଥର ଖାରଜ କରି ଦିଆଯାଇଛି। କତାରର ଅଧିକାରୀମାନେ ଏମାନଙ୍କ ସଜାକୁ ବାରମ୍ବାର ବଢ଼ାଇ ଚାଲିଛନ୍ତି। ଏବେ କତାର ଏକ ଅଦାଲତ ଏମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି। ତେବେ ଭାରତୀୟ ଏଜେନ୍ସି ଏହି ମାମଲାକୁ ସର୍ବୋଚ୍ଚସ୍ତରରେ ଉଠାଇବେ ବୋଲି କହିଛନ୍ତି। ସେପଟେ କିନ୍ତୁ କତାର ସରକାର ଏହି ପ୍ରସଙ୍ଗରେ କୌଣସି ନରମତା ଦେଖାଇ ନାହାନ୍ତି।

ଏହି ପ୍ରସଙ୍ଗରେ ଭାରତ ସରକାର କହିଛନ୍ତି, ଆମକୁ ସୂଚନା ମିଳିଛି ଯେ କତାରର ଏକ ଅଦାଲତ ଅଲ ଦହରା କମ୍ପାନୀରେ କାମ କରୁଥିବା ୮ ପୂର୍ବ ଭାରତୀୟ ନୌସେନା ଅଧିକାରୀଙ୍କୁ ଗିରଫ କରିବା ମାମଲାରେ ଫାଶୀ ଦଣ୍ତ ଶୁଣାଇଛି। ଫାଶୀ ଦଣ୍ଡାଦେଶର ନିଷ୍ପତ୍ତି ଶୁଣି ଆମେ ଚକିତ ହୋଇଯାଇଛୁ। ଏବେ ଆମେ ଏହି ମାମଲାର ସମ୍ପୂର୍ଣ୍ଣ କପିକୁ ଅପେକ୍ଷା କରିଛୁ। ସରକାର ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିବାର ସହିତ ଓ ଆଇନଗତ ଏକ ଟିମ୍‌ ସହିତ ସମ୍ପର୍କରେ ଅଛୁ। ଆଉ ଭାରତୀୟ ନାଗରିକଙ୍କୁ ମୁକୁଳେଇବା ପାଇଁ ଆମେ ଆଇନ୍‌ର ସାହାର ନେଉଛୁ। ଏହି ମାମଲା ଉପରେ କଡା ନଜର ରହିଛି। କତାର ଅଧିକାରୀଙ୍କ ସାମ୍ନାରେ ମଧ୍ୟ ଏହି ମାମଲାର ପୁନଃ ବିଚାର କରାଯିବାକୁ ସୁପାରିଶ କରାଯିବ।

କତାର ଜେଲରେ ବନ୍ଦ ଥିବା ଆଠଜଣ ପୂର୍ବତନ ନୌସେନା ଅଧିକାରୀମାନଙ୍କ ହେଉଛନ୍ତି କ୍ୟାପଟେନ ନବତେଜ ସିଂ ଗିଲ, କ୍ୟାପଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବୈଷ୍ଣବ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୁର୍ନେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶ। ଗୁପ୍ତଚର ଅଭିଯୋଗରେ ପଚରାଉଚରା ପାଇଁ ସମସ୍ତଙ୍କୁ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.