Odisha Link
Bridging the Missing Links in Odisha

‘ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଛି, ରେଳମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ’

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ରବିବାର ରାତିରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ରହିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ଜଣେ ଯାତ୍ରୀଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ରହିଛି।

ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ରେଲୱେ ସେଫ୍ଟି କମିଶନର ଓ ଟିମ୍। ଟ୍ରାକ୍‌ରୁ ବଗି ଉଠିବା ପରେ ସେଫ୍ଟି କମିଶନର ଯାଞ୍ଚ କରୁଛନ୍ତି। ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ବୋଲି ସ୍ପଷ୍ଟ କରିଛି ରେଳ ବିଭାଗ। ଜଣଙ୍କ ମୃତଦେହ ଦୁଇଖଣ୍ଡ ହୋଇଯାଇଥିବାରୁ ଦ୍ୱନ୍ଦ୍ୱ ଥିଲା। ଦୁଇ ଖଣ୍ଡ ମୃତଦେହକୁ ଦୁଇ ଜଣ ହିସାବ କରିବାରୁ ୧୪ କୁହାଯାଉଥିଲା। ତେବେ ୧୪ ନୁହେଁ, ମୃତ୍ୟୁ ସଂଖ୍ୟା ୧୩ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି।

ଅନ୍ୟପଟେ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲା କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଇସ୍ତଫା ଦାବି କରିବା ସହ କହିଛନ୍ତି, ଆଉ କେତେ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଚେତିବେ। ରେଳ ଯାତ୍ରା କରିବାକୁ ଲୋକ ଭୟ କଲେଣି। ଲଗାତର ଭାବେ ଟ୍ରେନ ଦୁର୍ଘଟଣା ଘଟୁଛି, ଜୀବନ ଯାଉଛି। ବାହାନଗା ଘଟଣାର କିଛି ମାସ ପରେ ପୁଣି ଦୁର୍ଘଟଣା ଘଟିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି।

ଟ୍ରେନ୍‌ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩୩ଟି ଟ୍ରେନ୍‌ ବାତିଲ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି। ଟ୍ରାକ୍ ଉପରେ ପଡିରହିଛି ବଗି। ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମରାମତି କାମକୁ ଜୋରଦାର କରାଯାଇଛି। ୮ଶହରୁ ୯ଶହ ଲୋକ ନିୟୋଜିତ କରାଯାଇଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି। ବୈଷୟିକ ଟିମ୍ ପକ୍ଷରୁ ମରାମତି କାମ ଚାଲିଛି। କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି। ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି। ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି। ୮ଶହରୁ ୯ଶହ ମାନବ ନିୟୋଜିତ କରାଯାଇଛି। ତେବେ ଖୁବ ଶୀଘ୍ର ଦୁର୍ଘଟଣା ସ୍ଥଳ ମରାମତି ଶେଷ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.