Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ଟ୍ରେନ ଟ୍ରାଜେଡି: ସାମ୍ନାକୁ ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ!

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ରବିବାର ରାତିରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ରହିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ଜଣେ ଯାତ୍ରୀଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ରହିଛି।

ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜା ଚାଲିଥିବାବେଳେ ରେଳ ବିଭାଗ ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଛି। ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗର ପ୍ରଶାସନ ସୂଚନା ଦେଇ କହିଛନ୍ତି ଯେ, ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି। ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଞ୍ଜର ଟ୍ରେନ। ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା। ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟ। ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ରାୟଗଡ଼ା ପାସେଞ୍ଜର ପିଟିଥିଲା। ଏହା ଏକ ମନୁଷ୍ୟକୃତ ତ୍ରୁଟି ବୋଲି ରେଳ ବିଭାଗ ତଦନ୍ତରୁ ଜଣାପଡ଼ିଛି।

ଅନ୍ୟପଟେ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲା କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଇସ୍ତଫା ଦାବି କରିବା ସହ କହିଛନ୍ତି, ଆଉ କେତେ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଚେତିବେ। ରେଳ ଯାତ୍ରା କରିବାକୁ ଲୋକ ଭୟ କଲେଣି। ଲଗାତର ଭାବେ ଟ୍ରେନ ଦୁର୍ଘଟଣା ଘଟୁଛି, ଜୀବନ ଯାଉଛି। ବାହାନଗା ଘଟଣାର କିଛି ମାସ ପରେ ପୁଣି ଦୁର୍ଘଟଣା ଘଟିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି।

ସୂଚନା ଅନୁସାରେ, ଟ୍ରେନ୍‌ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩୩ଟି ଟ୍ରେନ୍‌ ବାତିଲ ହୋଇଛି। ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି। ଟ୍ରାକ୍ ଉପରେ ପଡିରହିଛି ବଗି। ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମରାମତି କାମକୁ ଜୋରଦାର କରାଯାଇଛି। ୮ଶହରୁ ୯ଶହ ଲୋକ ନିୟୋଜିତ କରାଯାଇଛି।

ଦୁର୍ଘଟଣା ଘଟିଥିବା ସ୍ଥାନରେ ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି। ବୈଷୟିକ ଟିମ୍ ପକ୍ଷରୁ ମରାମତି କାମ ଚାଲିଛି। କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି। ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି। ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି। ୮ଶହରୁ ୯ଶହ ମାନବ ନିୟୋଜିତ କରାଯାଇଛି। ତେବେ ଖୁବ ଶୀଘ୍ର ଦୁର୍ଘଟଣା ସ୍ଥଳ ମରାମତି ଶେଷ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.