ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି। ଦିନ ୧୧ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ କରାଇଥିଲେ। ନୂତନ ରାଜ୍ୟପାଳ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଅନୁସାରେ, ରାଜ୍ୟପାଳ ଭାବେ ରଘୁବର ଦାସ ଶପଥ ଗ୍ରହଣ ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରଥିଲେ ରଘୁବର ଦାସ। ନୂଆ ରାଜ୍ୟପାଳ ରଘୁବର ଦାସ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସାରି ରାଜଭବନ ଅଭିମୁଖେ ଫେରିଥିଲେ ରାଜ୍ୟପାଳ ରଘୁବର ଦାସ।
ଲିଙ୍ଗରାଜଙ୍କୁ ଦର୍ଶନ ପରେ ନୂଆ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖି କହିଥିଲେ, ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲି। ଦେଶ ଓ ରାଜ୍ୟର ସୁଖ, ସମୃଦ୍ଧି ନେଇ ପ୍ରାର୍ଥନା କରିଛି। ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଅନ୍ୟ ରାଜ୍ୟ ପଦାଧିକାରୀ ତାଙ୍କୁ ସ୍ବାଗତ କରିଥିଲେ।
ଗତକାଲି ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, ସେମାନଙ୍କ ଉନ୍ନତି ହେଉ। ମହାପ୍ରଭୁ ସେମାନଙ୍କ ଜୀବନରେ ସୁଖଶାନ୍ତି ଭରି ଦିଅନ୍ତୁ, କୃପା ବର୍ଷା କରନ୍ତୁ।
ଏଥିସହିତ ସେ ଆହୁରି କହିଛନ୍ତି, ଭାରତ ଏକ ଆଧ୍ୟାତ୍ମିକ ଦେଶ, ଦେଶ ଭିତରେ ଓଡ଼ିଶା ହେଉଛି ଏକ ଆଧ୍ୟାତ୍ମିକ ରାଜ୍ୟ। ଭାରତ ପୁଣିଥରେ ବିଶ୍ବଗୁରୁ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଧ୍ୟାତ୍ମିକ କ୍ଷେତ୍ରର ବିକାଶ କରୁଛନ୍ତି। ସନାତନ ଧର୍ମ ଯାହା ଆଦିକାଳ ଅନନ୍ତ, ତାହା ଆଜି ସାରା ବିଶ୍ବର ଆଦର୍ଶ ପାଲଟିଛି। ଓଡ଼ିଶାବାସୀଙ୍କ ବିକାଶ ମୋର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି।