Odisha Link
Bridging the Missing Links in Odisha

ଏଥର ଆହୁରି ଚିତ୍ତାକର୍ଷକ ହେବ କଟକ ବାଲିଯାତ୍ରା, ଆସନ୍ତା ୨୭ରୁ ହେବ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏ ଅନୁଷ୍ଠିତ ହେବ। ଐତିହାସିକ କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଏଥର ଅଧିକ ଆକର୍ଷଣୀୟ କରାଯିବା ପାଇଁ ଗତବର୍ଷ ଭଳି ଅନେକ ନୂଆ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। କଟକ ବାଲିଯାତ୍ରା ପାଇଁ ଆସନ୍ତା ୩୦ରୁ ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ପୃଷ୍ଠପୋଷକ ବା ପ୍ୟାଟ୍ରନ୍‌ମାନଙ୍କ ପାଇଁ ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ହୋଇଛି।

ପୃଷ୍ଠପୋଷକମାନଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଛି। ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି। ସେହିପରି ସାଧାରଣ ବ୍ୟବସାୟୀଙ୍କ ପଞ୍ଜୀକରଣ ନଭେମ୍ବର ୪ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୧୧ରୁ ନଭେମ୍ବର ୧୫ ଯାଏ ନିଲାମ ପ୍ରକ୍ରିୟା ଚାଲିବ। ସାଧାରଣ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ରଖାଯାଇ ଥିବାବେଳେ, ପୃଷ୍ଠପୋଷକଙ୍କ ପାଇଁ ବର୍ଗଫୁଟ ୫ଶହ ଟଙ୍କା ରହିଛି।

ଅନ୍ୟପଟେ, ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ବୟ ରକ୍ଷା କରିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁତ୍ୱାରୋପ କରିଛନ୍ତି। ଚଳିତବର୍ଷ ବାଲିଯାତ୍ରା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ଆଭାସୀ ମାଧ୍ୟମରେ ଅଧ୍ୟକ୍ଷତା କରି ବାଲିଯାତ୍ରା ସହ ଜଡିତ ବିଭିନ୍ନ ବିଭାଗ ଓ ବିଭାଗୀୟ କାର୍ଯ୍ୟାଳୟ ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ କରିବା ସହ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିଥିଲେ। ଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ। ସିଏମ୍‌ସି ପକ୍ଷରୁ ଛାତ୍ରୀଛାତ୍ରଙ୍କ ଦ୍ୱାରା କାଗଜ ଡଙ୍ଗା ତିଆରି କରି ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନିତ ହେବା ଆନନ୍ଦର ବିଷୟ ଥିଲା। ଚଳିତବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.