Odisha Link
Bridging the Missing Links in Odisha

ଐତିହ୍ୟ ପ୍ରତି ଉତ୍ସାହ; ଓଡ଼ିଶା ଫେରିଲା ଦୁର୍ଲଭ ଅଷ୍ଟଧାତୁ ମୂର୍ତ୍ତି

ଓଏଲ୍‌ ବ୍ୟୁରୋ: କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଏକ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଆମେରିକା ଭାରତକୁ ୧୦୦ରୁ ଊର୍ଦ୍ଧ୍ବ ଦୁର୍ଲଭ ତଥା ପ୍ରାଚୀନ କଳାକୃତି ଫେରାଇ ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଏହି କଳାକୃତିଗୁଡ଼ିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଯୁବପୀଢିଙ୍କ ମଧ୍ୟରେ ନିଜ ଐତିହ୍ୟ ପ୍ରତି ଗର୍ବର ଭାବ ଦେଖା ଦେଇଥିଲା। ତେବେ ଓଡ଼ିଶା ଫେରିଲା ମା’ କୋଟ୍ରାକ୍ଷୀଙ୍କ ଦୁର୍ଲଭ ପ୍ରାଚୀନ ମୂର୍ତ୍ତି। ଯାଜପୁର ଦର୍ପଣଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି। ଦିଲ୍ଲୀରୁ ମୂର୍ତ୍ତିଧରି ଯାଜପୁର ପୁଲିସ ଟିମ ଓ ଦର୍ପଣଗଡ଼ ସରପଞ୍ଚ ଫେରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେରିକା ଆମକୁ ୧୦୦ରୁ ଊର୍ଦ୍ଧ୍ବ ଦୁର୍ଲଭ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଛି। ଭାରତ ଫେରିଥିବା ଏହି କଳାକୃତିଗୁଡ଼ିକ ଅଢେଇ ହଜାର ବର୍ଷରୁ ଅଢେଇ ଶହ ବର୍ଷ ପୁରୁଣା। ଆପଣ ଏହା ମଧ୍ୟ ଜାଣି ଖୁସି ହେବେ ଯେ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳ ସହ ଏହି ଦୁର୍ଲଭ ସାମଗ୍ରୀଗୁଡ଼ିକର ସମ୍ପର୍କ ରହିଛି। ଏଗୁଡ଼ିକ ଟେରାକୋଟା, ପଥର, ଧାତୁ ଏବଂ କାଠରେ ନିର୍ମିତ। ଏଗୁଡ଼ିକ ମଧ୍ୟରେ ଏପରି କିଛି ଅଛି, ଯାହା ଆପଣଙ୍କୁ ଚକିତ କରିଦେବ। ଏଗୁଡ଼ିକ ମଧ୍ୟରେ ଏକାଦଶ ଶତାବ୍ଦୀର ଏକ ସୁନ୍ଦର ବାଲୁକା ପ୍ରସ୍ତର ନିର୍ମିତ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି।

ନୃତ୍ୟ ଭଙ୍ଗିରେ ଥିବା ଅପ୍ସରାମାନଙ୍କ କଳାକୃତିର ସମ୍ପର୍କ ମଧ୍ୟପ୍ରଦେଶ ସହ ରହିଛି। ଚୋଳ ସାମ୍ରାଜ୍ୟର ଅନେକ ମୂର୍ତ୍ତି ମଧ୍ୟ ଏଥିରେ ରହିଛି। ଦେବୀ ଓ ଭଗବାନ ମୁରୁଗାନ୍‌ଙ୍କ ପ୍ରତୀମା ତ ଦ୍ବାଦଶ ଶତାବ୍ଦୀର ଏବଂ ଏହା ତାମିଲନାଡ଼ୁର ବୈଭବଶାଳୀ ସଂସ୍କୃତି ସହ ଜଡ଼ିତ। ପ୍ରଭୁ ଗଣେଶଙ୍କର ପ୍ରାୟ ୧ହଜାର ବର୍ଷ ପୁରୁଣା କାଂସ୍ୟ ପ୍ରତୀମା ମଧ୍ୟ ଭାରତକୁ ଫେରିଛି। ଭଗବାନ ସୂର୍ଯ୍ୟଦେବଙ୍କ ଦୁଇ ପ୍ରତୀମା ମଧ୍ୟ ଆପଣଙ୍କ ମନ ମୋହିନେବ। ଏଭଳି ଆହୁରି ଅନେକ କଳାକୃତି ଆମେରିକା ଆମକୁ ଫେରାଇଛି। ଏସବୁ ମୂଲ୍ୟବାନ ଐତିହ୍ୟ ଫେରସ୍ତ କରିଥିବାରୁ ମୁଁ ଆମେରିକା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.