Odisha Link
Bridging the Missing Links in Odisha

ଉତ୍ତରକାଶୀରେ ଟନେଲ ଭୁଶୁଡ଼ିବା ଘଟଣା: ଫସିଛନ୍ତି ୫ ଓଡ଼ିଆ ଶ୍ରମିକ

ଓଏଲ୍‌ ବ୍ୟୁରୋ: ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଟନେଲରେ ୪୦ ଶ୍ରମିକ ଫସି ରହିଛନ୍ତି। ଫସିରହିଥିବା ୪୦ ଶ୍ରମିକଙ୍କ ତାଲିକା ଜାରି କଲା ପ୍ରଶାସନ। ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ। ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର ମିଳିଛି। ଗତକାଲି ଠାରୁ ଏହି ଶ୍ରମିକମାନେ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ୫ ଓଡ଼ିଆ ଶ୍ରମିକ ହେଲେ ତପନ ମଣ୍ଡଳ, ଭଗବାନ ପତ୍ରା, ବିଶ୍ବେଶ୍ବର ନାୟକ, ରାଜୁ ନାୟକ ଓ ଧୀରେନ୍। ଫସିଥିବା ଶ୍ରମିକଙ୍କୁ ବାହାର କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉଦ୍ଧାର କାର୍ଯ୍ୟ ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଜାରି ରହିଛି। ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି। ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଶ୍ରମିକ ଫସିଛନ୍ତି। ତେବେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା। ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା। ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା। ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ। ଉତ୍ତରକାଶୀ ଟନେଲରେ ଧସିବା ଘଟଣାରେ ରେସ୍କ୍ୟୁ ଅପରେସନ ଜାରି ରହିଛି।

Leave A Reply

Your email address will not be published.