Odisha Link
Bridging the Missing Links in Odisha

ବୟସ୍କ ଓ ରୋଗାକ୍ରାନ୍ତ ଲୋକ ଜଗା ଦର୍ଶନ କରିବାକୁ ଆସନ୍ତୁନି: ଶ୍ରୀମନ୍ଦିର ପ୍ରଶାସନ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି। ଆଉ ୫-୬ ଦିନ ପରେ କାର୍ତ୍ତିକ ମାସ ଶେଷ ହେବ। ଯାହାଫଳରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଭିଡ଼ ଯୋଗୁ ଆଜି ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଯାହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ମିଳିଛି।

ଆଜି ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ଆସିଥିବା ଭକ୍ତ ଦିନ ୧୦ଟା ଯାଏ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ଯୋଗୁ ଭକ୍ତମାନେ ଅପେକ୍ଷା କରି କରି ବ୍ୟତିବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। କିଛି ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଥିଲେ। ଏମିତିକି ଜଣେ ବୃଦ୍ଧା ତାଙ୍କୁ ଧାଡ଼ିରୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ। ସ୍ଥିତି ବଡ଼ ଦୟନୀୟ ହୋଇଯାଇଥିଲା।

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍‌ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ।

Leave A Reply

Your email address will not be published.