Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ବାଦ୍‌ ପଡ଼ିଲେ ଏହି ସବୁ ଷ୍ଟାର ଖେଳାଳି

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜୟର କଷ୍ଟ ଏଯାଏ ଲୋକମାନେ ଭୁଲି ନାହାନ୍ତି। ବିଶ୍ୱକପ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ବାକି ରହିଛି। ଆସନ୍ତା ୨୩ ତାରିଖରୁ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହି ସିରିଜରୁ ଭାରତ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ଏଥିପାଇଁ ଆଜି ଦଳ ଘୋଷଣା କରିଛି ଭାରତୀ୍ୟ କ୍ରିକେଟ ବୋର୍ଡ।

ବିଶ୍ୱକପ ଶେଷ ହୋଇଥିବାରୁ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ବିଶ୍ରାମ ଦେଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ଦେଇଛି। ଦଳର ନିୟମିତ ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ଯାହାଫଳରେ ଦଳ ସୂର୍ଯ୍ୟକୁମାରଙ୍କ ଉପରେ ଭରଷା କରିଛି। ସେହିପରି ଯୁବ ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ତେବେ ରୋହିତ, ବିରାଟ, ଗିଲ୍, ଶ୍ରେୟସ୍, ରାହୁଲ, ଜାଡେଜା, ବୁମରା, ସାମି, ସିରାଜ, ଅଶ୍ବିନୀ, କୁଲଦୀପଙ୍କୁ ବିଶ୍ରାମ ଦେଇଛି ବିସିସିଆଇ। ସେହିପରି ଶେଷ ଦୁଇଟି ମ୍ୟାଚରେ ଶ୍ରେୟସ ଆୟର ଦଳ ସହିତ ଯୋଗ ଦେବେ ବୋଲି ସୂଚନା ରହିଛି।

ଏହି ସିରିଜରେ ଭାରତର କୋଚ୍‌ ଦାୟିତ୍ୱରେ ଭିଭିଏସ୍‌ ଲକ୍ଷ୍ମଣ ରହିବେ। କାରଣ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ରବିବାର ଠାରୁ ଶେଷ ହୋଇଛି। ସେ ମୁଖ୍ୟ କୋଚ୍‌ ପଦ ପାଇଁ ପୁଣି ଆବେଦନ କରିବେ କି ନାହିଁ, ସେକଥା ଏଯାଏ ନିଷ୍ପତ୍ତି ହୋଇନି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ବିଶାଖାପଟନମରେ ଖେଳାଯିବ। ଏହାପରେ ନଭେମ୍ବର ୨୬ରେ ଦ୍ୱିତୀୟ ଟି-୨୦ ଥିରୁଅନନ୍ତପୁରମ, ନଭେମ୍ବର ୨୮ରେ ତୃତୀୟ ଟି-୨୦ ଗୁହାଟୀ, ଡିସେମ୍ବର ୧ରେ ୪ର୍ଥ ଟି-୨୦ ରାୟପୁର ଓ ଡିସେମ୍ବର ୩ରେ ଶେଷ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ।

ଭାରତୀୟ ଦଳ: ସୂର୍ଯକୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକଓ୍ବାଡ(ଉପଅଧିନାୟକ), ଇଶାନ କିଷନ, ଯଶ୍ବସୀ ଯଶଓ୍ବାଲ, ତିଲକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଶ୍ନୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍, ମୁକେଶ କୁମାର

Leave A Reply

Your email address will not be published.