Odisha Link
Bridging the Missing Links in Odisha

ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂଆ ପ୍ରମୁଖ ସଚିବ ହେଲେ ସୁଜାତା କାର୍ତ୍ତିକେୟନ୍‌

ଓଏଲ୍ ବ୍ୟୁରୋ: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିର୍କେୟନଙ୍କୁ ଆଜି ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ।

ରାଜ୍ୟ ସରକାର ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ଉପରେ ଗୁରୁତ୍ବାରୋପ କରୁଛନ୍ତି। ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ୍‌ କଳା ସଂସ୍କୃତି ସଂଘକୁ ସକ୍ରିୟ କରିବା ପାଇଁ ପ୍ରାଥମିକତା ଦିଆଯାଉଛି। ସେହିପରି ଓଡ଼ିଆ ବିଶ୍ବବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଖୋଲାଯାଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ଶ୍ରୀମତୀ କାର୍ତ୍ତିକେୟନ୍‌ଙ୍କ ନିଯୁକ୍ତି ବେଶ୍‌ ଗୁରୁତ୍ବ ବହନ କରୁଛି।