Odisha Link
Bridging the Missing Links in Odisha

୧୬ ଦିନ ପରେ ହଟିବ ଟନେଲ ଅନ୍ଧାର; ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ହଟିବ ଟନେଲର ଅନ୍ଧାର ଆଉ ବଞ୍ଚିବ ୪୧ ଜୀବନ। ଟନେଲ୍ ଭିତରେ ମିଶନ ଜୀବନ। ଆଶା ଆଉ ଆଶଙ୍କା ମଧ୍ୟରେ ଆଉ ମାତ୍ର କିଛି ସମୟର ଅପେକ୍ଷା। ଟନେଲରୁ ଉଦ୍ଧାର ପାଇଁ ଆଉ କିଛି କ୍ଷଣର ଅପେକ୍ଷା ରହିଥିବାବେଳେ ଟନେଲ ଭିତରକୁ ପଶିଲେ ଏନଡିଆରଏଫ ଏବଂ ଆମ୍ବୁଲାନ୍ସ। ଦଉଡ଼ି ଓ ସିଡ଼ି ମଧ୍ୟ ଟନେଲ ଭିତରକୁ ପ୍ରବେଶ କଲା। ଟନେଲ ତଳେ ୪୧ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ମଧ୍ୟ ୫ ଓଡ଼ିଆ ରହିଛନ୍ତି। ଘଟଣା ସ୍ଥଳରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକ ପହଂଚିଛନ୍ତି। ଟନେଲରୁ ୪୧ ଶ୍ରମିକଙ୍କୁ ଉଦ୍ଧାର ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଅଣାଯିବ। ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ଅଛି ଚିନ୍ୟାଲିସୌର ହେଲ୍ଥ ସେଣ୍ଟର।

ସୂଚନା ଅନୁସାରେ, ଗତ ମଙ୍ଗଳବାର ଭିଡିଓ କ୍ୟାମେରାରେ ଶ୍ରମିକଙ୍କ ଛବି ଆସିଥିଲା। ବାହାରକୁ ଆସିବା କେବଳ ବାକି ରହିଛି। ସାଢ଼େ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲର ୨୬୦ ମିଟର ପରେ ୪୧ ଶ୍ରମିକ ଫସି ରହିଛନ୍ତି। ମୁହଁ ଠାରୁ ୨୦୦ ମିଟର ପରେ ଭୁଶୁଡ଼ି ପଡ଼ିଥିଲା ଟନେଲ। ୬୦ ମିଟର ପର୍ଯ୍ୟନ୍ତ ଟନେଲ ପୋତି ହୋଇ ଯାଇଥିଲା। ଫଶିରହିଥିବା ଶ୍ରମିକଙ୍କଠୁ ଆଉ ୪ ମିଟର ଦୂରତା ରହିଛି। ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା।

ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆଉ କିଛି ସମୟ ଲାଗିପାରେ ବୋଲି ସୂଚନା ଆସିଛି। ଘଟଣାସ୍ଥଳରେ ୪୧ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଡାକ୍ତରଖାନାରେ ୪୧ଟି ବେଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡିଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ କରି ରିଷିକେଶ ଏମ୍ସକୁ ନିଆଯିବ।

Leave A Reply

Your email address will not be published.