ଆଜିଠୁ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ଆରମ୍ଭ; ପ୍ରଥମ ଦିନରେ ହିଁ ଚାଲିଗଲା ୧୧ ଜୀବନ

ଓଏଲ୍ ବ୍ୟୁରୋ: ଆଜିଠୁ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ। କିନ୍ତୁ ପ୍ରଥମ ଦିନରେ ହିଁ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି।
ତାରିଣୀ ଦର୍ଶନ ଯିବା ସମୟରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଗୁରୁତର ଆହତ ହୋଇଛନ୍ତି। ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ। ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ସେହିଭଳି ଭଦ୍ରକ ଗେଲପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା ହୋଇଛି। ଟ୍ରକକୁ ପଛପଟୁ କାର ଧକ୍କା ଦେବାରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ୫ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଓ ଅନ୍ୟ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।